ରେଳଯାତ୍ରା
ସଠିକ ମନେ ପଡ଼ୁନଥିଲେ ବି ପ୍ରାୟ ୨୦୧୨ ମସିହାର କଥା । ମୁଁ ସେତେବେଳେ ତିନି ଚାରି ବର୍ଷର ହେଇଥିଲି । ରେଳରେ ପ୍ରଥମ କରି ଯାତ୍ରା କରୁଥିଲି ପୁରୀରୁ ଦିଲ୍ଲୀ ଆମ ମାଉସୀଙ୍କ ଘରକୁ । ମୁଁ, ବାବା, ମମି, ଏବଂ ମୋର ବଡ଼ ଭଉଣୀ । ମୁଁ କିଛି ଜାଣି ପାରୁନଥାଏ । ପ୍ରାୟ ତିନି ଦିନ ଲାଗିଥିଲା ଦିଲ୍ଲୀରେ ପହଞ୍ଚିବାକୁ । ସେହିଠାରେ ଏକ ଘଟଣା ମୋର ଏକ ସ୍ମୃତି ରହି ଯାଇଥିଲା ।
ଦିଲ୍ଲୀ ଗଲା ବାଟରେ ଗନ୍ଧିଆ ଷ୍ଟେସନଠାରେ ରେଳ ଅଟକିଲା । ମୁଁ ଏବଂ ବାବା ରେଳରୁ ବାହାରି ଆସିଲୁ ଟିକେ ବୁଲିବା ପାଇଁ । ରେଳ ୧୦ ମିନିଟ୍ ପାଇଁ ରହିଥିଲା ଏବଂ ଆମେ ଆସିଲୁ ଆମ ପାଣି ବୋତଲରେ ପାଣି ଭର୍ତ୍ତିକଲୁ । ବାବା ମୋତେ ସବୁ ଜାଗା ଦେଖାଉଥାନ୍ତି ଷ୍ଟେସନରେ । ବାବା ମୋତେ ହଠାତ୍ ପଚାରିଲେ, "ଝିଅ କ'ଣ ଖାଇବୁ?" ମୁଁ ଆଗ୍ରହରେ ହଁ ମାରି ଦେଲି । ବାବା ତାଙ୍କ ପକେଟରୁ ୧୦ ଟଙ୍କିଆ ନୋଟଟିଏ କାଢ଼ିଲେ, ଦୋକାନୀ ହାତକୁ ଦେଲେ । ଠିକ୍ ସେତିକି ବେଳେ ରେଳ ଛାଡ଼ି ଦେଲା । ମୋ' ମମି ରାତି ଅନିଦ୍ରା ହୋଇ ଶୋଇ ଯାଇଥାଏ, ମୋ ବଡ଼ ଭଉଣୀ କ'ଣ କରିବ କିଛି ଜାଣି ପାରିଲାନାହିଁ । ହଠାତ୍ ଡାକିଲା, "ବାବା ଟ୍ରେନ ଛାଡ଼ି ଦେଲା ।" ସେତେବେଳକୁ ରେଳ ବହୁତ୍ ବାଟ ଗଡ଼ି ସାରିଲାଣି ।
ବାବା ଦୋକାନୀ ଠାରୁ ନୋଟ୍ଟି ଆଣି ତାକୁ ଓଠରେ ଚିପି ଧରି ମତେ ଗୋଟେ ହାତରେ ଧରି ଦଉଡ଼ି ଯାଇ ରେଳ ଉପରକୁ ଚଢ଼ିଲାବେଳେ ଗୋଡ଼ ଖସିଗଲା । ପୁଣି ବାବା ମତେ ଗୋଟେ ହାତରେ ଧରି ଚଢ଼ିବାକୁ ଲାଗିଲେ ଏବଂ ଭଗବାନଙ୍କ ଦୟାରୁ ଆମେ ରେଳରେ ଚଢ଼ିଗଲୁ । ସେତେବେଳକୁ ମମିର ନିଦ ଭାଙ୍ଗି ଯାଇଥିଲା । ସେ ମତେ ଆଉ ବାବାଙ୍କୁ କହିଲା, "ଯଦି ତମେ ଟ୍ରେନରେ ଚଢ଼ି ପାରିନଥାନ୍ତ ତା'ହେଲେ କ'ଣ ଯେ ହେଇଥାଆନ୍ତା !?" ଏତିକି କହି ସେ ହାତ ଯୋଡ଼ି କହି ପକେଇଲା ଜଗନ୍ନାଥ... ଜଗନ୍ନାଥ...
ବାବାଙ୍କ ପକେଟରେ ସେଦିନ ମାତ୍ର ୧୦୦ ଟଙ୍କିଆ ନୋଟଟିଏ ଥିଲା । ସେତିକି ନେଇ ଆମେ ଦିଲ୍ଲୀ ଯାଇ ପାରି ନଥାନ୍ତୁ କି ପୁରୀ ବି ଆସି ପାରି ନଥାନ୍ତୁ । ମୁଁ ଏବେ ବି ଭାବୁଛି, ଯଦି ଭଗବାନଙ୍କ କୃପା ହେଇ ନଥାନ୍ତା ଆଉ ଆମେ ଟ୍ରେନରେ ଚଢ଼ିପାରି ନଥାନ୍ତୁ, ତା'ହେଲେ ଆମ ଅବସ୍ଥା କ'ଣ ଯେ ହେଇଥାନ୍ତା !!!
- ଶୁଭସ୍ମିତା ସାହୁ