Follow Us @soratemplates

Showing posts with label ସ୍କୁଲ ବହିରୁ. Show all posts
Showing posts with label ସ୍କୁଲ ବହିରୁ. Show all posts

Friday, 21 August 2020

ବଣ ଓ ବଣି (ପୁରୁଣା ବହିରୁ)

ବାୟା ଅଜାଙ୍କ ପେଡ଼ିରୁ August 21, 2020 0 Comments


ଦେଖିଲା କୁନା ମହୁଲ ଡାଳେ
ବସିଛି ଏକ ବଣି,
ପଡ଼ୁଛି ଯେତେ ମହୁଲ ଫୁଲ
ହିସାବ କରେ ଗଣି ।

ଡାକିଲା କୁନା କିଆଁ ଲୋ ବଣି
ଘଷୁଛୁ ଥଣ୍ଟ ଡାଳେ?
ଆ' ମୋ' ପାଶେ ଖାଇବୁ ଯେବେ
ମିଠା ପିଜୁଳି ଫାଳେ ।

ସୁନାର ଏକ ପଞ୍ଜୁରି ଗଢ଼ି
ଆଣିବେ ବାପା ମୋର,
ମାଆଠୁ ମାଗି ଦେବିଲୋ ତୋତେ
କଦଳୀ, ଛେନା, ସର ।

ସୁନା ଗିନାରେ ଦେବି ମୁଁ ପାଣି
ରୂପା ଥାଳିରେ ଭାତ,
ବୁଲାଇ ନେବି ମେଳାକୁ ତୋତେ
ଦେଖିବୁ କେତେ ଯାତ ।

କ‌ହିଲା ବଣି କୁନା ଭାଇନା,
କ‌ହିଲ ସତ ଏକା,
ମନରେ ତୁମ ଶରଧା ଥାଉ
ନିଇତି ହେବ ଦେଖା ।

ଗଛରୁ ଗଛ ଉଡ଼ି ଉଡ଼ିକା
ପାଉଛି କେତେ ସୁଖ,
ଡାଳରେ ଥାଇ ଦେଖଇ ମୁହିଁ
ଜ‌ହ୍ନମାମୁଁର ମୁଖ ।

ବୁଲୁଛି ଖାଇ ବଣର ଫଳ
ଡିମିରି, ଆମ୍ବ, ଜାମୁ,
ଶୋଉଛି ସୁଖେ ବସାରେ ମୋର
ଲେଉଟି ନାନା କାମୁ ।

କୁନା ଭାଇନା ସୁନା ପଞ୍ଜୁରି
ସେ ସୁଖ ଦେବ କିବା?
ଯିଏ ଯାହାର ମନ ଖୁସିରେ
ଆପଣା ସୁଖେ ଥିବା ।

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି
ରୂପା ଥାଳିର ଭାତ,
ଏ ଗଛ ଡାଳ ସରଗ ମୋର
ବଣ ପରାଣ ମିତ ।

(ଏହି କବିତାଟି ୩ୟ ଶ୍ରେଣୀର ପୁରୁଣା ସାହିତ୍ୟ ବହିରେ ଥିଲା, ଯାହାର ରୂପରେଖ ଟିକେ ବଦଳିଯାଇଛି ।)

Saturday, 7 March 2020

ସନ୍ଧ୍ୟା

ବାୟା ଅଜାଙ୍କ ପେଡ଼ିରୁ March 07, 2020 1 Comments
ସନ୍ଧ୍ୟା

ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ
ଆସଇ ରଜନୀରାଣୀ ଧରି କଳାବେଶ,
ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ
ରାବଦେଇ ଯେଝା ବାସେ କରନ୍ତି ଗମନ ।।

ଧୂଳି ଉଡ଼ାଇଣ ଦାସ୍ତେ କରି ହମ୍ବା ରଡ଼ି
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି,
ହଳ କାମ ସାରି ଚଷା ମହାଆନନ୍ଦରେ
ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ ।

ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ
ଆବରଇ ଜଳ ସ୍ଥଳ ପର୍ବତ କାନନ ।
ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି
ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି ।

ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ,
ନାହିଁ ଆଉ ଏ ଭୁବନେ ଜୀବନ ଚହଳ ।।
ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ,
ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ ।।
ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ,
ତାହାର ପରଶେ ଏବେ ମୁଦିବେ ନୟନ ।

- ମଧୁସୂଦନ ରାଓ

Sunday, 16 February 2020

ଗଛ ଓ କାଠୁରିଆ

ବାୟା ଅଜାଙ୍କ ପେଡ଼ିରୁ February 16, 2020 0 Comments

ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ ।
ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ।
ବସି କୁହୁକୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡ଼ାଳେ ।
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳ ବାଟୋଇ ତ ବସେ ଏହା ତଳ ।


ଛାଡ଼ି ଯାଅ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଦେଇ ଥରେ ଏ ଗଛ କାହାଣୀ ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ତାହାକୁ ଲଗାଇ ଗଲେ ପିତୃପିତାମହ ।
କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,
କେତେ ଝିଅ ପୁଅ କେତେ ଯାତ ବିଭାଘର ।
ମନେ ପଡ଼େ ପିଲାଦିନ ଏହାରି ମୂଳରେ,
ଖେଳୁଥିଲି ମୁହିଁ ଖେଳ ସାଥୀ ଗହଳରେ ।


ଏବେ ବାଲ୍ୟକାଳେ ପୋଥି ଧରି ଛାଇ ତଳେ,
ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ଦେଖିଅଛି ଏ ଗଛ ମୋ ପିତୃପିତାମହ ।
ନ ହାଣ ଏ ଗଛ ଶୁଣ ମୋର ବାଣୀ,
ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣି ।
ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,
ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ ।
ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି,
ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ ।

ନନ୍ଦକିଶୋର ବଳ

ଜୟୀ ରାଜଗୁରୁ

ବାୟା ଅଜାଙ୍କ ପେଡ଼ିରୁ February 16, 2020 1 Comments

ସେଇ ଲୋକ ଯେ ମେଳିରେ ମେଢ଼ି,
ସବୁ ଆକଟ ଦେଉଛି ଏଡ଼ି,
କଥରେ ତା'ର ମାତି,
ପାଇକ ଜାତି        ଉଠୁଛି ତାତି
ଫୁଲ ଦେଇ ଛାତି ।

ଆଶାରେ ଭରି ଉଷୁମ ଲହୁ,
ଭାଷାରେ ଭରି ମୁକତି-ମହୁ,
ଜୀବନ-ଗୀତା ଗାଇ,
ଅନ୍ତର ତଳେ        ଅନଳ ଶିଖା
ଦେଉଛି ଅବା ତାଇ ।

ପାଗଳ ପ୍ରାୟ ପାଇକ ପୁଅ,
ଛୁଟାଇବାକୁ ରକତ ସୁଅ,
ସଜାଏ ହତିଆର,
ଜୀବନ ବାଜି        ରଖିଛି ଆଜି
ତୋଳିଛି ତଲୁଆର ।

ଆହୁରି ବୀରେ ବହୁତ ଦୂରୁ,
ଢେଙ୍କାନାଳ ଓ ସମ୍ବଲପୁରୁ,
ଦେଲେଣି ଭୀମ ରଡ଼ି,
ରକତମୁଖା        ହେଲେଣି ସବୁ
ସେନାବାହିନୀ ଗଢ଼ି ।

ଥରି ଉଠୁଛି ରସୁଲ୍‌କୁଣ୍ଡା,
ଗଞ୍ଜାମ ସହ ରଙ୍ଗେଇଲୁଣ୍ଡା,
ଗଣ୍ଡାକୁ ଗଣ୍ଡା ଭେଣ୍ଡା,
କୁଜଙ୍ଗଠାରୁ        କନିକା ଯାଏଁ
ଖୋଲି ଦେଲେଣି ଖଣ୍ଡା ।

ମୁକୁନ୍ଦଦେବ ଠାକୁର ରାଜା,
ଖୁରଧା ଗଡ଼େ ପାଳେ ପରଜା,
ତାହାର ସିଏ ମନ୍ତ୍ରୀ,
ବଚନ ତା'ର        ଖୁରରୁ ଧାର
ଥରାଇ ଦିଏ ତନ୍ତ୍ରୀ ।

ପାହାଡ଼ ତଳେ ଗଢ଼ିଛି ଗଡ଼,
ଗଡ଼ୁଁ ଗରଜି ଉଠିବ ଝଡ଼,
ଝଡ଼ର ତାଳେ ତାଳେ,
ତୁଟିବ ସବୁ        ବିଦେଶୀ ବଳ
ଶାଣିତ ତରବାଳେ ।

ରାଜାର ସିଏ ସେନାନାୟକ,
ବଇରିକୁଳ ବ୍ୟଥାଦାୟକ,
ବକ୍‌ସି ଜଗବନ୍ଧୁ,
କରିଛି ପଣ        କରିବ ରଣମ
ଛେଦିବ ଶିର କନ୍ଧୁ ।

ଭାବିଲେ ଗୋରା ସିପାହୀ ଦଳ,
ତେବେରେ ଏଠି ସରିଲା ବଳ,
ଧରିବା ନିଜ ପଥ,
ଖୁରୁଧା ଗଡ଼        ସହଜେ ଆଉ
ହେବନି କରଗତ ।

ମହାଚତୁର ବଣିକ ଜାତି,
ବୁଦ୍ଧି ଖଟାଇ ରାତିକରାତି,
ଚୁଗୁଲିଆଙ୍କୁ ଧରି,
ଗୁପଥ ପଥ        ପାରିଲା ଜାଣି
ଉପାୟ ବହୁ କରି ।

ରାତି ଅଧରେ ଗଡ଼ରେ ପଶି,
ସୁଯୋଗ ଦେଖି ରହିଲା ବସି,
କରି ଫିକର ଫନ୍ଦି,
ମେଳିର ମେଢ଼ି        ରାଜଗୁରୁଙ୍କୁ
କରିଲା ଶେଷେ ବନ୍ଦୀ ।

ସେଠାରୁ ନେଇ ବହୁତ ଦୂର,
ବାଲେଶ୍ୱରର ମେଦିନୀପୁର,
'ବାଘତୋଟା'ର ନାଳ-
କୂଳରେ ଥିବା        'ବର'ରେ ବାନ୍ଧି
କରିଲା ଦୁଇଫାଳ ।

କୁଆଡ଼େ ବହି ଯାଉଛି କାଳ,
ଗଲାଣି କଟି କେତେଶ' ସାଲ,
ରହିଛି ଏବେ କଥା-
"ଜଇଆ ପଛେ        ଜୀବନ ଦେଲା
ନୁଆଇଁ ନାହିଁ ମଥା ।"

- ଶ୍ରୀ ରମେଶ ଚନ୍ଦ୍ର ଭଞ୍ଜ

Wednesday, 5 February 2020

ବଣ ଓ ବଣି

ବାୟା ଅଜାଙ୍କ ପେଡ଼ିରୁ February 05, 2020 1 Comments

ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି,
ଝଡ଼ୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି ।

ଡାକିଲା କୁନା କିଆଁଲୋ ବଣି ଘଷୁଛୁ ଥଣ୍ଟ ଡାଳେ?
ଆ' ମୋ' ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ ।

ସୁନାର ଏକ ପଞ୍ଜୁରି ଗଢ଼ି ଆଣିବେ ବାପା ମୋର,
ମାଆଠୁ ମାଗି ଦେବିଲୋ ତୋତେ କଦଳୀ, ଛେନା, ସର ।

ସୁନା ଗିନାରେ ଦେବି ମୁଁ ପାଣି ରୂପା ଥାଳିରେ ଭାତ,
ବୁଲାଇ ନେବି ମେଳାକୁ ତୋତେ ଦେଖିବୁ କେତେ ଯାତ ।

କ‌ହିଲା ବଣି କୁନା ଭାଇନା, କ‌ହିଲ ସତ ଏକା,
ମନରେ ତୁମ ଶରଧା ଥାଉ ନିଇତି ହେବ ଦେଖା ।

ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ,
ଆକାଶେ ଥାଇ ଦେଖି ମୁହିଁ ଜ‌ହ୍ନମାମୁଁର ମୁଖ ।

ବୁଲୁଛି ଖାଇ ବଣର ଫଳ କେତେ ଯେ ମିଠା କୋଳି
ଗଛର ଡାଳେ ପବନ ତାଳେ ଖେଳଇ ମୁହିଁ ଦୋଳି ।

ମନ ଆନନ୍ଦେ ଉଡ଼ି ବୁଲଇ ଖୁସିରେ ଗାଏ ଗୀତ,
ନ ମାନେ ଝଡ଼ି, ବରଷା ଖର ନ ମାନେ ପୁଣି ଶୀତ ।

କୁନା ଭାଇନା ସୁନା ପଞ୍ଜୁରି ଦେବକି ସେଇ ସୁଖ,
ପର ଅଧୀନ ବନ୍ଦୀ ଜୀବନ ଅଟଇ ବଡ଼ ଦୁଃଖ ।

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି ରୂପା ଥାଳିର ଭାତ,
ଗଛର ଡାଳ ସରଗ ମୋର ବଣ ପରା ମୋ' ମିତ ।
(ତୃତୀୟ ଶ୍ରେଣୀ ସାହିତ୍ୟ ବ‌ହି ।)

ଜାତୀୟ କବି ବୀରକିଶୋର

ବାୟା ଅଜାଙ୍କ ପେଡ଼ିରୁ February 05, 2020 0 Comments

ଆମ ଏ ଦେଶର ଯଶ ବିଭବ
ଦେଖି ବିଦେଶୀଙ୍କ ବଢ଼ିଲା ଲୋଭ ।

ଦଖଲ କଲେ ସେ ସାରା ମୁଲକ
ଦେଖାଇ ଆମକୁ ଗୁଳି ବନ୍ଧୁକ ।

ବୋହିନେଲେ ଆମ ଦେଶରୁ ଧନ
ଚାବୁକ ପାହାରେ କଲେ ଶାସନ ।

ପାଟିକଲେ ହେଲା ବେତ ପାହାର
ଗୁଳିରେ ଫାଟିଲା ମଥା କାହାର ।

ଶହଶହ ସ୍ୱାଧୀନତା ସଇନ
ହସି ହସି କଲେ କାରାବରଣ ।

ଗୋରା ବେପାରୀଏ ହେଲେ ପାଗଳା
ଚଳାଇଲେ ଦେଶେ ଦମନ ଲୀଳା

ବୀରକିଶୋର ଏ ଦେଶର କବି
ଆଖିରେ ଦେଖିଲେ କଷଣ ଛବି ।

ଗୋରା ଶାସକଙ୍କ ଦମନ ଲୀଳା
ମନ‌କୁ ତାଙ୍କର ଅଥିର କଲା ।

ଲେଖିଗଲେ ଗୀତ ମାଳକୁ ମାଳ
ରହିଥିବ ତାହା କାଳକୁ କାଳ ।

ସେ ଗୀତେ ସଭିଏଁ ଉଠିଲେ ମାତି
ଗୁଳି ଆଗେ ଦେଲେ ପତାଇ ଛାତି !

ସାଜିଲେ ପିଲାଏ ବାନରସେନା
ବାହାରିଲେ ଧରି ତ୍ରିରଙ୍ଗା ବାନା ।

ଖାଇଲା ଗୋଇଠା ବେତ ପାହାର
ଦେଖିଲେ ସ‌ହିବ ଛାତି କାହାର !

ଗୋରା ସରକାର ବନ୍ଧୁକ ଗୁଳି
କବିତା ଶକତି ତା'ଠାରୁ ବଳି ।

ଥରିଲା ଶେଷରେ ବିଦେଶୀ ଛାତି
ଆଉ ନ ରହିଲେ ଗୋଟିଏ ରାତି ।

ଛାଡ଼ି ପଳେଇଲେ ଭାଇରତ ଭୂଇଁ
ତେର ନଈ ସାତ ଦରିଆ ଡେଇଁ ।