Follow Us @soratemplates

Showing posts with label ପ୍ରବନ୍ଧ. Show all posts
Showing posts with label ପ୍ରବନ୍ଧ. Show all posts

Saturday 7 October 2023

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା

ବାୟା ଅଜାଙ୍କ ପେଡ଼ିରୁ October 07, 2023 0 Comments
Sustha Odisha Sukhi Odisha (ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା)

ସ୍ୱାସ୍ଥ୍ୟ ହିଁ ସମ୍ପଦ, ଅର୍ଥାତ ଅମାପ ଧନ ସମ୍ପତ୍ତି ଥାଇ ମଧ୍ୟ ଯଦି ବ୍ୟକ୍ତିଟିଏ ଅସୁସ୍ଥ ରୁହେ, ତେବେ ସେ ସୁଖୀ ହୋଇପାରିବ ନାହିଁ । ତେଣୁ ସୁଖୀ ହେବା ପାଇଁ ସୁସ୍ଥ ରହିବା ଜରୁରୀ, କାରଣ ସୁସ୍ଥ ଶରୀର ସୁସ୍ଥ ମନର ବାହକ ଅଟେ । ଶରୀର ସୁସ୍ଥ ରହିଲେ ଜଣେ ବ୍ୟକ୍ତି ତା'ର କାର୍ଯ୍ୟକୁ ଉତ୍ତମ ଭାବରେ କରିପାରିବ ଓ ପ୍ରଗତିର ଶୀର୍ଷରେ ପହଞ୍ଚିପାରିବ । ଅପର ପକ୍ଷରେ ସଦାସର୍ବଦା ଅସୁସ୍ଥ ରହୁଥିବା ବ୍ୟକ୍ତିଟି କୌଣସି କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିନଥାଏ ।

ଠିକ୍ ସେହିପରି ଆମ ଓଡ଼ିଶାକୁ ତଥା ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ବରଦାନ ମିଳିଲେ ଆମ ରାଜ୍ୟ ସୁଖୀ ଓଡ଼ିଶା ହୋଇପାରିବ । ତେବେ ଉତ୍ତମ ସ୍ୱାସ୍ଥ୍ୟ କ'ଣ? ଚିନ୍ତାମୁକ୍ତ, ରୋଗମୁକ୍ତ ଓ ଚଳଚଞ୍ଚଳ ହସ ପ୍ରସ୍ଫୁଟିତ ମୁଖ ମଣ୍ଡଳକୁ ଦେଖି ଆମେ କହିପାରିବା ଏ ବ୍ୟକ୍ତିଟି ରୋଗମୁକ୍ତ ଅଟେ; ଅର୍ଥାତ ସେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାରୀରିକ ସୁସ୍ଥତା ଯେତିକି ଆବଶ୍ୟକ, ମାନସିକ ସୁସ୍ଥତା ମଧ୍ୟ ସେତିକି ଆବଶ୍ୟକ । ଶାରିରୀକ ସୁସ୍ଥତା ପାଇଁ ଯେମିତି ଆମକୁ ଉତ୍ତମ ପୌଷ୍ଟିକ ଖାଦ୍ୟ ଖାଇବାକକୁ ହୋଇଥାଏ, ନିୟମିତ ଶାରୀରିକ ପରିଶ୍ରମ କରିବା ସହିତ ବ୍ୟାୟାମ କରିବାକୁ ପଡ଼ିଥାଏ, ସେହଭଳି ମାନସିକ ସ୍ୱାସ୍ଥ୍ୟ ପାଇଁ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ଯୋଗ, ପ୍ରାଣାୟମ କରିବା ଆବଶ୍ୟକ ।

ଉତ୍ତମ ଶାରୀରିକ ସ୍ୱାସ୍ଥ୍ୟର ଆଉ ଏକ ପ୍ରମୁଖ ଆଧାର ହେଉଛି ସଂଯମତା; ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା, ଠିକ୍ ସମୟରେ ଶୋଇବା, ବାହାରେ ବିକ୍ରି ହେଉଥିବା ଅହିତକର ଖାଦ୍ୟ ଖାଇବା ନାହିଁ । କାରଣ ଆଖିକୁ ଭଲ ଦେଖାଯିବାକୁ, ପାଟିକୁ ଭଲ ସ୍ୱାଦ ଲାଗିବା ପାଇଁ ଖାଦ୍ୟଗୁଡ଼ିକରେ ଅନେକ କୃତ୍ରିମ ଉପାଦାନ ମିଶାଯାଇଥାଏ, ଯାହା ଶରୀର ପ୍ରତି ଆଦୌ ହିତକର ହୋଇନଥାଏ । ଏହି ଖାଦ୍ୟ ମେଦବହୁଳତା ବଢ଼ାଇବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ ରୋଗାକ୍ରାନ୍ତ କରିଥାଏ । ଫଳରେ ଫ୍ୟାଟି ଲିଭର୍, କିଡନୀ ସମସ୍ୟା, କୋଲେଷ୍ଟୋରାଲ୍ ଭଳି ରୋଗ ଉପୁଜିଥାଏ । ଏହି ମାଛବସା ଖାଦ୍ୟ ତଥା ପୋଡ଼ାତେଲରେ ପ୍ରସ୍ତୁତ ଖାଦ୍ୟରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ହୋଇଥାଏ; ଜଣ୍ଡିସ୍, ଟାଇଫଏଡ୍ ଭଳି ରୋଗ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରଥମେ ବାହାର ଖାଦ୍ୟ ନ ଖାଇ ଘରୋଇ ଖାଦ୍ୟ ଖାଇବାକୁ ହେବ ଏବଂ ସମୟାନୁବର୍ତ୍ତିତା ହୋଇ ଖାଇବା ଓ ଶୋଇବାରେ ସଂଯମତା ରକ୍ଷା କରିବାକୁ ହେବ ।

ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ତଥା ଆବାଳ-ବୃଦ୍ଧ-ବନିତା ସ୍ୱାସ୍ଥ୍ୟବାନ ହେଲେ, ସେମାନେ କମ୍ ରୋଗାକ୍ରାନ୍ତ ହେବେ ଅର୍ଥାତ୍ ରୋଗରେ ବା ଡାକ୍ତରଖାନାରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ନିଜର ତଥା ପରିବାରର ଉନ୍ନତିରେ ଖର୍ଚ୍ଚ କରିପାରିବେ, ଯାହା ଫଳରେ ଆମେ ଏକ ସମୃଦ୍ଧ ରାଜ୍ୟ ଗଠନ କରିପାରିବା । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ଯୋଗ, ସଠିକ ପରିମାଣର ପାନୀୟ ଜଳ ଓ ସୁନିଦ୍ରା ଆବଶ୍ୟକ ହୋଇଥାଏ । ସେଥିପାଇଁ ବେଶି ରାତି ପର୍ଯ୍ୟନ୍ତ ଟିଭି ଓ ମୋବାଇଲ୍ ନଦେଖି ରାତି ୧୦ଟା ଭିତରେ ଶୋଇବା ଓ ସକାଳୁ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା । ମାନସିକ ଶାନ୍ତି ପାଇଁ ପ୍ରାଣାୟମ, ପ୍ରାର୍ଥନା, ମନ୍ତ୍ର ଜପ କରିବା, ଦୈନିକ ୮ରୁ ୧୦ ଗ୍ଲାସ ପାଣି, ତୋରାଣୀ, ପଇଡ଼ ପାଣି ଆଦି ପିଇବା । ପାଟିକୁ ସୁଆଦିଆ ଲାଗୁଥିବା ମୃଦୁପାନୀୟ ଆଦିରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଏଥିରେ ଏତେ ମାତ୍ରାରେ ରସାୟନିକ ପଦାର୍ଥ ତଥା ଶର୍କରା ରହିଥାଏ, ଯାହା କ୍ଷଣିକ ପାଇଁ ପାଟିକୁ ସ୍ୱାଦ ଦିଏ, ମାତ୍ର ଦୀର୍ଘଦିନ ପାଇଁ ଶରୀରକୁ ପୀଡ଼ା ଦିଏ ।

ପରିବାରର ମେରୁଦଣ୍ଡ ମାଆକୁ ହିଁ ବୁଝାଏ ଏବଂ ରୋଷେଇ ଘରୁ ହିଁ ଘରର ସୁସ୍ଥ ପରିବେଶର ଶୁଭାରମ୍ଭ ହୋଇଥାଏ । ତେଣୁ ମାଆମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଘିଅ, ଲହୁଣୀ ଭଳି ଉତ୍ତମ ସ୍ନେହସାର, ମାଣ୍ଡିଆ, ବାଜରା ଭଳି କମ୍ ଟଙ୍କାରେ ମିଳୁଥିବା ମିଲେଟ୍, ନାଲିଚୁଡ଼ା, ତୋରାଣି, କାଞ୍ଜି, ବାଡ଼ି ବଗିଚାରୁ ମିଳୁଥିବା ସବୁଜ ପନିପରିବା ଓ ପୋଷକ ତତ୍ତ୍ୱରେ ଭରପୁର ଥିବା ଶାଗ ଆଦି ପିଲାଙ୍କୁ ଛୋଟବେଳୁ ଖୁଆଇବା ଆବଶ୍ୟକ, ଫଳରେ ସେ ପିଲାଦିନରୁ ପୌଷ୍ଟିକ ଖାଦ୍ୟର ମହତ୍ତ୍ୱ ବୁଝିପାରିବ ଓ ଭବିଷ୍ୟତରେ ସୁଖୀ ଓଡ଼ିଶା ଗଠନର କର୍ଣ୍ଣଧାର ହୋଇପାରିବ ।

ସୁସ୍ଥ ଓଡ଼ିଶା ଗଠନ କ୍ଷେତ୍ରରେ ପ୍ରମୁଖ ବାଧା ହେଉଛି ମାଦକ ଦ୍ରବ୍ୟ ବା ନିଶା ସେବନ । ଆଜିର ଯୁବପିଢ଼ି କର୍ମତତ୍ପର ନହୋଇ ନିଶା ବା ମାଦକ ଦ୍ରବ୍ୟରେ ନିଜକୁ ବୁଡ଼ାଇ ନିଶାଶକ୍ତ ହୋଇ ଅନେକ ଅନୈତିକ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟକ୍ଷରେ ସେହି ବ୍ୟକ୍ତି ଉପରେ ପରୋକ୍ଷରେ ତା'ର ପରିବାର ଓ ସମାଜ ଉପରେ ଏହା ଅନେକ କୁପ୍ରଭାବ ପକାଇଥାଏ । ଉତ୍ତମ ଶିକ୍ଷା, ନୀତିଶିକ୍ଷା ଏସବୁର ଔଷଧ, ତେଣୁ ଶିକ୍ଷା ହିଁ ଏସବୁ କୁପ୍ରଭାବକୁ ଦୂରେଇ ପାରିବ ।

ତେଣୁ ସୁଖୀ ଓଡ଼ିଶା ଗଠନ ପାଇଁ ଓଡ଼ିଶାବାସୀଙ୍କୁ ସୁସ୍ଥ ରହିବାକୁ ହେବ । ସୁସ୍ଥ ରହିବା ପାଇଁ ପୌଷ୍ଟିକ ଖାଦ୍ୟ ଖାଇବା ସହିତ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ସଠିକ ସମୟରେ ସଠିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ସୁଦୃଢ଼ ହେବା ସହିତ ନିୟମିତ ବ୍ୟାୟାମ ଓ ପ୍ରାଣାୟମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲଥିବା ବ୍ୟକ୍ତିଟିଏ ପ୍ରଗତିଶୀଳ କାର୍ଯ୍ୟ କରିପାରିବ, ଯାହାକି ଓଡ଼ିଶାକୁ ସୁଖୀ ଓଡ଼ିଶାରେ ପରିଣତ କରିପାରିବ ।

ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା

ବାୟା ଅଜାଙ୍କ ପେଡ଼ିରୁ October 07, 2023 0 Comments
Samruddha Rashtra Gathanare Poustika Khadyara Bhumika (ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା)

କଥାରେ ଅଛି "ସ୍ୱାସ୍ଥ୍ୟ ହିଁ ସମ୍ପଦ" । ସ୍ୱ୍ୟାସ୍ଥ୍ୟ ଭଲ ରହିଲେ, ମନ ଭଲ ରହିବ ଓ ମନ ଭଲ ରହିଲେ, ଆମେ ଯାହା କରିବା, ସେଥିରେ ସଫଳାତା ନିଶ୍ଚେ ପାଇବା । ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଆମକୁ ଭଲ ମନ ନେଇ ସଦାସର୍ବଦା କାମ କରିବାକୁ ପଡ଼ିଥାଏ । ଆଉ ଭଲ ପାଇଁ ଆମକୁ ଭଲ ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ଅଛି, କାରଣ ଏକ ସମୃଦ୍ଧ ରାଷ୍ଟ୍ର ସେତେବେଳେ ଗଠନ ହୋଇପାରିବ, ଯେତେବେଳେ ଏହାର ସମସ୍ତ ବ୍ୟକ୍ତି ସୁସ୍ଥସବଳ ରହିବେ । ସମସ୍ତ ଶିଶୁଙ୍କର ଶାରୀରିକ ଓ ମାନସିକ ବିକାଶ ସଠିକ୍ ଭାବରେ ବିକଶିତ ହେଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ । ଆଉ ଏହା ସମ୍ଭବ ହେବ ଶିଶୁଟିକୁ ଯଦି ପୌଷ୍ଟିକ ଖାଦ୍ୟ ମିଳିବ । ତେଣୁ ପରୋକ୍ଷ ଭାବରେ ହେଉ ବା ପ୍ରତ୍ୟେକ୍ଷ ଭାବରେ ହେଉ, ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା ନିଶ୍ଚିତ ଭାବରେ ରହିଛି ।

ଆଜିର ଶିଶୁ କାଲିର ନାଗରିକ । ସମୃଦ୍ଧ ରାଷ୍ଟ୍ର ଗଠନରେ ଶିଶୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ସମୃଦ୍ଧ ରାଷ୍ଟ୍ର ସେତେବେଳେ ହୋଇଥାଏ, ଯେତେବେଳେ ସେହି ରାଷ୍ଟ୍ରର ଲୋକ ସୁସ୍ଥ ଓ ନୀରୋଗୀ ରହିଥାନ୍ତି । ଶରୀର ସୁସ୍ଥ ଓ ନିରୋଗ ରହିଲେ ହିଁ ଶାରୀରିକ ଓ ମାନସିକ ବିକାଶ ଠିକ୍ ଭାବରେ ହୋଇଥାଏ । ଯାହାଦ୍ୱାରା ସଠିକ୍ ଚିନ୍ତା କରିବାର ଦକ୍ଷତା ଜଣେ ଲୋକ ପାଖରେ ଦେଖାଯାଏ । ଶରୀର ସୁସ୍ଥ ରହିଲେ ମନ ଖୁସି ରହିଥାଏ ଯାହାଦ୍ୱାରା ନୂତନ ଜିନିଷ ଉଦ୍ଭାବନ ମଧ୍ୟ ହୋଇଥାଏ । କେବଳ ଟଙ୍କା ପଇସା ବା ଧନ ସମ୍ପତ୍ତିରେ ପୂରି ରହିଲେ ଗୋଟିଏ ରାଷ୍ଟ୍ର କେବେବି ସମୃଦ୍ଧ ରାଷ୍ଟ୍ର ହୋଇପାରିବନି । ଯଦି ଗୋଟିଏ ରାଷ୍ଟ୍ରର ଲୋକେ ସବୁବେଳେ ରୋଗଗ୍ରସ୍ତ ହେଉଥିବେ ତେବେ ସେ ରାଷ୍ଟ୍ର କଦାପି ସମୃଦ୍ଧ ରାଷ୍ଟ୍ର ହୋଇପାରିବ ନାହିଁ । ଗୋଟିଏ ରୋଗ ବା ମହାମାରୀ ଗୋଟିଏ ରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଭାବେ ତଳିତଳାନ୍ତ କରିଦେଇପାରେ, ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛି କରୋନା ମହାମାରୀ । ଏହାର କବଳରୁ ବଞ୍ଚିବାର ଗୋଟିଏ ଉପାୟ ହେଉଛି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା । ଯାହାକି ସମ୍ଭବ ହେବ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା । ପୌଷ୍ଟିକ ଖାଦ୍ୟ ଶକ୍ତିର ଆଧାର ଓ କୋଷ ଗଠନର ମୁଖ୍ୟ ପଦାର୍ଥ ରୂପେ କାମ କରିଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶରୀରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆବଶ୍ୟକୀୟ ପରିମାଣର ପୁଷ୍ଟିକର ଖାଦ୍ୟ ଆତ୍ୟନ୍ତ ଆବଶ୍ୟକ ।

ଶରୀରର ବୃଦ୍ଧି ସାଧନ, କ୍ଷୟ ପୂରଣ, ଶକ୍ତି ଯୋଗାଣ ଏବଂ ଶରୀରର ବିଭିନ୍ନ କ୍ରିୟା ପ୍ରଣାଳୀ ନିୟନ୍ତ୍ରଣ ଓ ସୁରକ୍ଷା ନିମନ୍ତେ ଛଅଗୋଟି ପୁଷ୍ଟି ଆବଶ୍ୟକ । ବିଭିନ୍ନ ପ୍ରକାରର ଏବଂ ଉପଯୁକ୍ତ ପରିମାଣର ଖାଦ୍ୟ ଶରୀରର ପୁଷ୍ଟି ସାଧନ କରିବା ସଙ୍ଗେ ସଙ୍ଗେ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ପୁଷ୍ଟି ଶରୀରରେ କମ୍ ହେଲେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଏ ଯେପରି ଅପପୁଷ୍ଟି । ସଠିକ ଖାଦ୍ୟ ନ ଖାଇବା ଦ୍ୱାରା ଛୋଟ ଶିଶୁମାନେ ମୁଖ୍ୟତଃ ଅପପୁଷ୍ଟି ରୋଗର ଶୀକାର ହେଉଥିବା ବେଳେ ନାରୀମାନେ ରକ୍ତହୀନତାର ଶୀକାର ହୋଇଥାନ୍ତି ।

ଗୋଟିଏ ରାଷ୍ଟ୍ର ସେତେବେଳେ ସମୃଦ୍ଧ ହେବ ଯେତେବେଳେ ଶିଶୁମାନେ ଅପପୁଷ୍ଟି ରୋଗରୁ ରକ୍ଷା ପାଇବେ ଓ ନାରୀମାନେ ରକ୍ତହୀନତାରୁ । ଏହା କେବଳ ସମ୍ଭବ ସମୟ ଅନୁସାରେ ସଠିକ୍ ପରିମାଣର ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା । ବାର୍ଷିକ ହାରାହାରି ପ୍ରାୟ ୩୦ ହଜାର ପର୍ଯ୍ୟନ୍ତ ୫ ବର୍ଷରୁ କମ୍ ଶିଶୁଙ୍କର ଅପପୁଷ୍ଟି ଦ୍ୱାରା ମୃତ୍ୟୁ ଘଟିଥାଏ । ଦେଖିବାକୁ ଗଲେ ଅର୍ଦ୍ଧେକ ଶିଶୁ ଅପପୁଷ୍ଟି ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଭାରତ, ଆଫ୍ରିକା ଏବଂ ପୃଥିବୀର ଅନ୍ୟାନ୍ୟ କେତେକ ଦେଶରେ ଶିଶୁ ଓ ମହିଳାମାନେ ଏହି ରୋଗର ଶୀକାର ହେଉଛନ୍ତି । ଶୈଶବ ଅବସ୍ଥାରେ ଅପପୁଷ୍ଟି ଶିଶୁର ପରବର୍ତ୍ତୀ ଜୀବନ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଶାରୀରିକ ଏବଂ ମାନସିକ ବୃଦ୍ଧି ଏବଂ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ଗୋଟିଏ ରାଷ୍ଟ୍ରର କେବେହେଲେ ସମୃଦ୍ଧି ହୋଇପାରିବ ନାହିଁ । ଶରୀର ସୁସ୍ଥ ରହିବା ପାଇଁ ଚାରି ଗୋଟି ପ୍ରଧାନ ମାର୍ଗଦର୍ଶନ ପ୍ରଣାଳୀ ରହିଛି ।

ତାହା ହେଉଛି,

୧. ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ

୨. ନିୟମିତ ବ୍ୟାୟାମ

୩. କମ୍ ଚିନ୍ତା ଓ ପରିଶ୍ରମ

୪. ଯଥେଷ୍ଟ ପାଣି ପିଇବା

ଯଦି ଜଣେ ବ୍ୟକ୍ତି ପୌଷ୍ଟିକ ଖାଦ୍ୟ ଖାଇ ନିଜକୁ ନିରୋଗ ରଖିପାରିବ ତେବେ ସେ ଯେକୌଣସି କ୍ଷେତ୍ରରେ କାର୍ଯ୍ୟକଲେ ମଧ୍ୟ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିପାରିବ । ଯଦି ଗୋଟିଏ ରାଷ୍ଟ୍ରର ସମସ୍ତ ଶିଶୁ, ନାଗରିକ, ବୃଦ୍ଧ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣ କରିବେ ତେବେ ସହଜରେ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ ।

ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଗୋଟିଏ ରାଷ୍ଟ୍ରର ସମୃଦ୍ଧି ସେହି ରାଷ୍ଟ୍ରର ବ୍ୟକ୍ତିବିଶେଷଙ୍କ ସହ ଅତି ନିବିଡ଼ ଭାବରେ ଜଡ଼ିତ । ସମୃଦ୍ଧ ରାଷ୍ଟ୍ରର ଗଠନ ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତ ବ୍ୟକ୍ତିଙ୍କ ପାଖରେ ପୌଷ୍ଟିକ ଖାଦ୍ୟର ଅଭାବ ନଥିବ । ଯେଉଁ ରାଷ୍ଟ୍ରର ଲୋକ ଯେତେ ସୁସ୍ଥ ସେହି ରାଷ୍ଟ୍ର ସେତେ ଉନ୍ନତ । ତେଣୁ ଆମେ ସମସ୍ତେ ପୌଷ୍ଟିକ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଓ ଯଥେଷ୍ଟ ପରିମାଣରେ ପାଣି ପିଇ ସୁସ୍ଥ ରହିବା ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିବା ।