Follow Us @soratemplates

Saturday 7 October 2023

ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା

Samruddha Rashtra Gathanare Poustika Khadyara Bhumika (ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା)

କଥାରେ ଅଛି "ସ୍ୱାସ୍ଥ୍ୟ ହିଁ ସମ୍ପଦ" । ସ୍ୱ୍ୟାସ୍ଥ୍ୟ ଭଲ ରହିଲେ, ମନ ଭଲ ରହିବ ଓ ମନ ଭଲ ରହିଲେ, ଆମେ ଯାହା କରିବା, ସେଥିରେ ସଫଳାତା ନିଶ୍ଚେ ପାଇବା । ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଆମକୁ ଭଲ ମନ ନେଇ ସଦାସର୍ବଦା କାମ କରିବାକୁ ପଡ଼ିଥାଏ । ଆଉ ଭଲ ପାଇଁ ଆମକୁ ଭଲ ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ଅଛି, କାରଣ ଏକ ସମୃଦ୍ଧ ରାଷ୍ଟ୍ର ସେତେବେଳେ ଗଠନ ହୋଇପାରିବ, ଯେତେବେଳେ ଏହାର ସମସ୍ତ ବ୍ୟକ୍ତି ସୁସ୍ଥସବଳ ରହିବେ । ସମସ୍ତ ଶିଶୁଙ୍କର ଶାରୀରିକ ଓ ମାନସିକ ବିକାଶ ସଠିକ୍ ଭାବରେ ବିକଶିତ ହେଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ । ଆଉ ଏହା ସମ୍ଭବ ହେବ ଶିଶୁଟିକୁ ଯଦି ପୌଷ୍ଟିକ ଖାଦ୍ୟ ମିଳିବ । ତେଣୁ ପରୋକ୍ଷ ଭାବରେ ହେଉ ବା ପ୍ରତ୍ୟେକ୍ଷ ଭାବରେ ହେଉ, ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା ନିଶ୍ଚିତ ଭାବରେ ରହିଛି ।

ଆଜିର ଶିଶୁ କାଲିର ନାଗରିକ । ସମୃଦ୍ଧ ରାଷ୍ଟ୍ର ଗଠନରେ ଶିଶୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ସମୃଦ୍ଧ ରାଷ୍ଟ୍ର ସେତେବେଳେ ହୋଇଥାଏ, ଯେତେବେଳେ ସେହି ରାଷ୍ଟ୍ରର ଲୋକ ସୁସ୍ଥ ଓ ନୀରୋଗୀ ରହିଥାନ୍ତି । ଶରୀର ସୁସ୍ଥ ଓ ନିରୋଗ ରହିଲେ ହିଁ ଶାରୀରିକ ଓ ମାନସିକ ବିକାଶ ଠିକ୍ ଭାବରେ ହୋଇଥାଏ । ଯାହାଦ୍ୱାରା ସଠିକ୍ ଚିନ୍ତା କରିବାର ଦକ୍ଷତା ଜଣେ ଲୋକ ପାଖରେ ଦେଖାଯାଏ । ଶରୀର ସୁସ୍ଥ ରହିଲେ ମନ ଖୁସି ରହିଥାଏ ଯାହାଦ୍ୱାରା ନୂତନ ଜିନିଷ ଉଦ୍ଭାବନ ମଧ୍ୟ ହୋଇଥାଏ । କେବଳ ଟଙ୍କା ପଇସା ବା ଧନ ସମ୍ପତ୍ତିରେ ପୂରି ରହିଲେ ଗୋଟିଏ ରାଷ୍ଟ୍ର କେବେବି ସମୃଦ୍ଧ ରାଷ୍ଟ୍ର ହୋଇପାରିବନି । ଯଦି ଗୋଟିଏ ରାଷ୍ଟ୍ରର ଲୋକେ ସବୁବେଳେ ରୋଗଗ୍ରସ୍ତ ହେଉଥିବେ ତେବେ ସେ ରାଷ୍ଟ୍ର କଦାପି ସମୃଦ୍ଧ ରାଷ୍ଟ୍ର ହୋଇପାରିବ ନାହିଁ । ଗୋଟିଏ ରୋଗ ବା ମହାମାରୀ ଗୋଟିଏ ରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଭାବେ ତଳିତଳାନ୍ତ କରିଦେଇପାରେ, ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛି କରୋନା ମହାମାରୀ । ଏହାର କବଳରୁ ବଞ୍ଚିବାର ଗୋଟିଏ ଉପାୟ ହେଉଛି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା । ଯାହାକି ସମ୍ଭବ ହେବ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା । ପୌଷ୍ଟିକ ଖାଦ୍ୟ ଶକ୍ତିର ଆଧାର ଓ କୋଷ ଗଠନର ମୁଖ୍ୟ ପଦାର୍ଥ ରୂପେ କାମ କରିଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶରୀରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆବଶ୍ୟକୀୟ ପରିମାଣର ପୁଷ୍ଟିକର ଖାଦ୍ୟ ଆତ୍ୟନ୍ତ ଆବଶ୍ୟକ ।

ଶରୀରର ବୃଦ୍ଧି ସାଧନ, କ୍ଷୟ ପୂରଣ, ଶକ୍ତି ଯୋଗାଣ ଏବଂ ଶରୀରର ବିଭିନ୍ନ କ୍ରିୟା ପ୍ରଣାଳୀ ନିୟନ୍ତ୍ରଣ ଓ ସୁରକ୍ଷା ନିମନ୍ତେ ଛଅଗୋଟି ପୁଷ୍ଟି ଆବଶ୍ୟକ । ବିଭିନ୍ନ ପ୍ରକାରର ଏବଂ ଉପଯୁକ୍ତ ପରିମାଣର ଖାଦ୍ୟ ଶରୀରର ପୁଷ୍ଟି ସାଧନ କରିବା ସଙ୍ଗେ ସଙ୍ଗେ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ପୁଷ୍ଟି ଶରୀରରେ କମ୍ ହେଲେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଏ ଯେପରି ଅପପୁଷ୍ଟି । ସଠିକ ଖାଦ୍ୟ ନ ଖାଇବା ଦ୍ୱାରା ଛୋଟ ଶିଶୁମାନେ ମୁଖ୍ୟତଃ ଅପପୁଷ୍ଟି ରୋଗର ଶୀକାର ହେଉଥିବା ବେଳେ ନାରୀମାନେ ରକ୍ତହୀନତାର ଶୀକାର ହୋଇଥାନ୍ତି ।

ଗୋଟିଏ ରାଷ୍ଟ୍ର ସେତେବେଳେ ସମୃଦ୍ଧ ହେବ ଯେତେବେଳେ ଶିଶୁମାନେ ଅପପୁଷ୍ଟି ରୋଗରୁ ରକ୍ଷା ପାଇବେ ଓ ନାରୀମାନେ ରକ୍ତହୀନତାରୁ । ଏହା କେବଳ ସମ୍ଭବ ସମୟ ଅନୁସାରେ ସଠିକ୍ ପରିମାଣର ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା । ବାର୍ଷିକ ହାରାହାରି ପ୍ରାୟ ୩୦ ହଜାର ପର୍ଯ୍ୟନ୍ତ ୫ ବର୍ଷରୁ କମ୍ ଶିଶୁଙ୍କର ଅପପୁଷ୍ଟି ଦ୍ୱାରା ମୃତ୍ୟୁ ଘଟିଥାଏ । ଦେଖିବାକୁ ଗଲେ ଅର୍ଦ୍ଧେକ ଶିଶୁ ଅପପୁଷ୍ଟି ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଭାରତ, ଆଫ୍ରିକା ଏବଂ ପୃଥିବୀର ଅନ୍ୟାନ୍ୟ କେତେକ ଦେଶରେ ଶିଶୁ ଓ ମହିଳାମାନେ ଏହି ରୋଗର ଶୀକାର ହେଉଛନ୍ତି । ଶୈଶବ ଅବସ୍ଥାରେ ଅପପୁଷ୍ଟି ଶିଶୁର ପରବର୍ତ୍ତୀ ଜୀବନ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଶାରୀରିକ ଏବଂ ମାନସିକ ବୃଦ୍ଧି ଏବଂ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ଗୋଟିଏ ରାଷ୍ଟ୍ରର କେବେହେଲେ ସମୃଦ୍ଧି ହୋଇପାରିବ ନାହିଁ । ଶରୀର ସୁସ୍ଥ ରହିବା ପାଇଁ ଚାରି ଗୋଟି ପ୍ରଧାନ ମାର୍ଗଦର୍ଶନ ପ୍ରଣାଳୀ ରହିଛି ।

ତାହା ହେଉଛି,

୧. ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ

୨. ନିୟମିତ ବ୍ୟାୟାମ

୩. କମ୍ ଚିନ୍ତା ଓ ପରିଶ୍ରମ

୪. ଯଥେଷ୍ଟ ପାଣି ପିଇବା

ଯଦି ଜଣେ ବ୍ୟକ୍ତି ପୌଷ୍ଟିକ ଖାଦ୍ୟ ଖାଇ ନିଜକୁ ନିରୋଗ ରଖିପାରିବ ତେବେ ସେ ଯେକୌଣସି କ୍ଷେତ୍ରରେ କାର୍ଯ୍ୟକଲେ ମଧ୍ୟ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିପାରିବ । ଯଦି ଗୋଟିଏ ରାଷ୍ଟ୍ରର ସମସ୍ତ ଶିଶୁ, ନାଗରିକ, ବୃଦ୍ଧ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣ କରିବେ ତେବେ ସହଜରେ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ ।

ସମୃଦ୍ଧ ରାଷ୍ଟ୍ର ଗଠନରେ ପୌଷ୍ଟିକ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଗୋଟିଏ ରାଷ୍ଟ୍ରର ସମୃଦ୍ଧି ସେହି ରାଷ୍ଟ୍ରର ବ୍ୟକ୍ତିବିଶେଷଙ୍କ ସହ ଅତି ନିବିଡ଼ ଭାବରେ ଜଡ଼ିତ । ସମୃଦ୍ଧ ରାଷ୍ଟ୍ରର ଗଠନ ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତ ବ୍ୟକ୍ତିଙ୍କ ପାଖରେ ପୌଷ୍ଟିକ ଖାଦ୍ୟର ଅଭାବ ନଥିବ । ଯେଉଁ ରାଷ୍ଟ୍ରର ଲୋକ ଯେତେ ସୁସ୍ଥ ସେହି ରାଷ୍ଟ୍ର ସେତେ ଉନ୍ନତ । ତେଣୁ ଆମେ ସମସ୍ତେ ପୌଷ୍ଟିକ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଓ ଯଥେଷ୍ଟ ପରିମାଣରେ ପାଣି ପିଇ ସୁସ୍ଥ ରହିବା ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିବା ।

No comments:

Post a Comment