Follow Us @soratemplates

Wednesday 5 February 2020

ଜାତୀୟ କବି ବୀରକିଶୋର

ବାୟା ଅଜାଙ୍କ ପେଡ଼ିରୁ February 05, 2020 0 Comments

ଆମ ଏ ଦେଶର ଯଶ ବିଭବ
ଦେଖି ବିଦେଶୀଙ୍କ ବଢ଼ିଲା ଲୋଭ ।

ଦଖଲ କଲେ ସେ ସାରା ମୁଲକ
ଦେଖାଇ ଆମକୁ ଗୁଳି ବନ୍ଧୁକ ।

ବୋହିନେଲେ ଆମ ଦେଶରୁ ଧନ
ଚାବୁକ ପାହାରେ କଲେ ଶାସନ ।

ପାଟିକଲେ ହେଲା ବେତ ପାହାର
ଗୁଳିରେ ଫାଟିଲା ମଥା କାହାର ।

ଶହଶହ ସ୍ୱାଧୀନତା ସଇନ
ହସି ହସି କଲେ କାରାବରଣ ।

ଗୋରା ବେପାରୀଏ ହେଲେ ପାଗଳା
ଚଳାଇଲେ ଦେଶେ ଦମନ ଲୀଳା

ବୀରକିଶୋର ଏ ଦେଶର କବି
ଆଖିରେ ଦେଖିଲେ କଷଣ ଛବି ।

ଗୋରା ଶାସକଙ୍କ ଦମନ ଲୀଳା
ମନ‌କୁ ତାଙ୍କର ଅଥିର କଲା ।

ଲେଖିଗଲେ ଗୀତ ମାଳକୁ ମାଳ
ରହିଥିବ ତାହା କାଳକୁ କାଳ ।

ସେ ଗୀତେ ସଭିଏଁ ଉଠିଲେ ମାତି
ଗୁଳି ଆଗେ ଦେଲେ ପତାଇ ଛାତି !

ସାଜିଲେ ପିଲାଏ ବାନରସେନା
ବାହାରିଲେ ଧରି ତ୍ରିରଙ୍ଗା ବାନା ।

ଖାଇଲା ଗୋଇଠା ବେତ ପାହାର
ଦେଖିଲେ ସ‌ହିବ ଛାତି କାହାର !

ଗୋରା ସରକାର ବନ୍ଧୁକ ଗୁଳି
କବିତା ଶକତି ତା'ଠାରୁ ବଳି ।

ଥରିଲା ଶେଷରେ ବିଦେଶୀ ଛାତି
ଆଉ ନ ରହିଲେ ଗୋଟିଏ ରାତି ।

ଛାଡ଼ି ପଳେଇଲେ ଭାଇରତ ଭୂଇଁ
ତେର ନଈ ସାତ ଦରିଆ ଡେଇଁ ।

ଅହଂକାର

ବାୟା ଅଜାଙ୍କ ପେଡ଼ିରୁ February 05, 2020 1 Comments

ଥରେ ଗୋଟିଏ କାଉ ଏବଂ ହଂସ ମଧ୍ୟରେ ଝଗଡ଼ା ହେଇଗଲା । କାଉ କହିଲା ମୁଁ ହଂସଠାରୁ ସବୁକିଛି ଭଲରେ କରିପାରିବି । ତେଣୁ ଗୋଟିଏ ପ୍ରତିଯୋଗିତା ହେଲା । ପ୍ରତିଯୋଗିତା ଅନୁସାରେ କାଉ ଯାହା କରିବ, ତାକୁ ହଂସ ପୁଣିଥରେ କରିକି ଦେଖେଇବ ଆଉ ପରେ ହଂସ ଯାହା କରିବା, କାଉ ତାକୁ କରିବ ।

କାଉ ପ୍ରଥମେ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ଦେଖାଇଲା, ହେଲେ ହଂସ ସେସବୁ କରିପାରିଲା ନାହିଁ । ତେଣୁ କାଉ ଗର୍ବରେ ଫୁଲିବାକୁ ଲାଗିଲା ଆଉ ଧୀରେ ଧୀରେ ତା'ର ଅହଂକାର ଆହୁରି ବଢ଼ିବାକୁ ଲାଗିଲା ।

ପ୍ରଥମ ପର୍ଯ୍ୟାୟରେ କାଉ ଜିତିବା ପରେ ଏବେ ହଂସର ପାଳିଥିଲା । ହଂସ ଉଡ଼ିବା ଆରମ୍ଭ କଲା ଆଉ କାଉ ମଧ୍ୟ ତାକୁ ଅନୁସରଣ କରି ଦେଖାଇଲା । ହଂସ ଏକ ବିଶାଳକାୟ ସମୁଦ୍ର ଦେଇ ଉଡ଼ିବାକୁ ଲଗିଲା । କାଉ ମଧ୍ୟ ତା' ପଛେ ପଛେ ଚାଲିଥାଏ । ହଂସର ଏ ଭଳି ଖାଲି ଉଡ଼ିବାର ରହସ୍ୟ କାଉକୁ ବୁଝାପଡ଼ୁନଥାଏ, ତେଣୁ ସେ ହଂସକୁ ଏହାର କାରଣ ପଚାରିଲା । ମାତ୍ର ହଂସର କାଉର କଥାରେ କୌଣସି ଉତ୍ତର ନଦେଇ ସେମିତି ଉଡ଼ିବାକୁ ଲାଗିଥାଏ ।

ଏହା ଭିତରେ ହଂସ ଉଡ଼ିଉଡ଼ି ବିଶାଳ ସମୁଦ୍ରର ବହୁତ ଦୂରକୁ ଚାଲିଯାଇଥାଏ ଯେଉଁଠି ଚାରିଆଡ଼େ ଖାଲି ପାଣି ହିଁ ଦେଖାଯାଉଥିଲା ଆଉ କାଉ ମଧ୍ୟ ତା' ପଛେ ପଛେ ଯାଇଥାଏ । ହଂସ ଉଡ଼ି ଚାଲିଥାଏ; କାଉ ପାଖରେ କିନ୍ତୁ ଆଉ ଉଡ଼ିବାର ଶକ୍ତି ନଥିଲା । ତାକୁ ତା'ର ଅହଂକାର ବିଷୟରେ ଜଣାପଡ଼ିଲା ଏବଂ ସେ ହଂସ ପାଖରେ ନିଜର ଭୁଲ ସ୍ୱୀକାର କରି ତାକୁ କୂଳକୁ ଫେରାଇ ନେବାକୁ ଅନୁରୋଧ କଲା ।

ଏକ ଛୋଟ କାହାଣୀ; କିନ୍ତୁ ଅନେକ କିଛି ଶିଖାଇଥାଏ ଆଉ ଅହଂକାର ଫଳରେ କ'ଣ ଅସୁବିଧା ହୁଏ ତାହା ତ ଆପଣମାନେ ଦେଖିଲେ । ଜୀବନରେ ଯାହା ବି କାମ କରନ୍ତୁ ନା କାହିଁକି ଅହଂକାରଠାରୁ ଦୂରେଇ ରୁହନ୍ତି; ଦେଖିବେ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିବେ ।

(ଲୋକକଥାରୁ ଉଦ୍ଧୃତ)