Follow Us @soratemplates

Sunday 16 February 2020

ଗଛ ଓ କାଠୁରିଆ


ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ ।
ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ।
ବସି କୁହୁକୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡ଼ାଳେ ।
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳ ବାଟୋଇ ତ ବସେ ଏହା ତଳ ।


ଛାଡ଼ି ଯାଅ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଦେଇ ଥରେ ଏ ଗଛ କାହାଣୀ ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ତାହାକୁ ଲଗାଇ ଗଲେ ପିତୃପିତାମହ ।
କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,
କେତେ ଝିଅ ପୁଅ କେତେ ଯାତ ବିଭାଘର ।
ମନେ ପଡ଼େ ପିଲାଦିନ ଏହାରି ମୂଳରେ,
ଖେଳୁଥିଲି ମୁହିଁ ଖେଳ ସାଥୀ ଗହଳରେ ।


ଏବେ ବାଲ୍ୟକାଳେ ପୋଥି ଧରି ଛାଇ ତଳେ,
ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ଦେଖିଅଛି ଏ ଗଛ ମୋ ପିତୃପିତାମହ ।
ନ ହାଣ ଏ ଗଛ ଶୁଣ ମୋର ବାଣୀ,
ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣି ।
ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,
ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ ।
ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି,
ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ ।

ନନ୍ଦକିଶୋର ବଳ

No comments:

Post a Comment