Follow Us @soratemplates

Sunday 16 February 2020

ଜୟୀ ରାଜଗୁରୁ


ସେଇ ଲୋକ ଯେ ମେଳିରେ ମେଢ଼ି,
ସବୁ ଆକଟ ଦେଉଛି ଏଡ଼ି,
କଥରେ ତା'ର ମାତି,
ପାଇକ ଜାତି        ଉଠୁଛି ତାତି
ଫୁଲ ଦେଇ ଛାତି ।

ଆଶାରେ ଭରି ଉଷୁମ ଲହୁ,
ଭାଷାରେ ଭରି ମୁକତି-ମହୁ,
ଜୀବନ-ଗୀତା ଗାଇ,
ଅନ୍ତର ତଳେ        ଅନଳ ଶିଖା
ଦେଉଛି ଅବା ତାଇ ।

ପାଗଳ ପ୍ରାୟ ପାଇକ ପୁଅ,
ଛୁଟାଇବାକୁ ରକତ ସୁଅ,
ସଜାଏ ହତିଆର,
ଜୀବନ ବାଜି        ରଖିଛି ଆଜି
ତୋଳିଛି ତଲୁଆର ।

ଆହୁରି ବୀରେ ବହୁତ ଦୂରୁ,
ଢେଙ୍କାନାଳ ଓ ସମ୍ବଲପୁରୁ,
ଦେଲେଣି ଭୀମ ରଡ଼ି,
ରକତମୁଖା        ହେଲେଣି ସବୁ
ସେନାବାହିନୀ ଗଢ଼ି ।

ଥରି ଉଠୁଛି ରସୁଲ୍‌କୁଣ୍ଡା,
ଗଞ୍ଜାମ ସହ ରଙ୍ଗେଇଲୁଣ୍ଡା,
ଗଣ୍ଡାକୁ ଗଣ୍ଡା ଭେଣ୍ଡା,
କୁଜଙ୍ଗଠାରୁ        କନିକା ଯାଏଁ
ଖୋଲି ଦେଲେଣି ଖଣ୍ଡା ।

ମୁକୁନ୍ଦଦେବ ଠାକୁର ରାଜା,
ଖୁରଧା ଗଡ଼େ ପାଳେ ପରଜା,
ତାହାର ସିଏ ମନ୍ତ୍ରୀ,
ବଚନ ତା'ର        ଖୁରରୁ ଧାର
ଥରାଇ ଦିଏ ତନ୍ତ୍ରୀ ।

ପାହାଡ଼ ତଳେ ଗଢ଼ିଛି ଗଡ଼,
ଗଡ଼ୁଁ ଗରଜି ଉଠିବ ଝଡ଼,
ଝଡ଼ର ତାଳେ ତାଳେ,
ତୁଟିବ ସବୁ        ବିଦେଶୀ ବଳ
ଶାଣିତ ତରବାଳେ ।

ରାଜାର ସିଏ ସେନାନାୟକ,
ବଇରିକୁଳ ବ୍ୟଥାଦାୟକ,
ବକ୍‌ସି ଜଗବନ୍ଧୁ,
କରିଛି ପଣ        କରିବ ରଣମ
ଛେଦିବ ଶିର କନ୍ଧୁ ।

ଭାବିଲେ ଗୋରା ସିପାହୀ ଦଳ,
ତେବେରେ ଏଠି ସରିଲା ବଳ,
ଧରିବା ନିଜ ପଥ,
ଖୁରୁଧା ଗଡ଼        ସହଜେ ଆଉ
ହେବନି କରଗତ ।

ମହାଚତୁର ବଣିକ ଜାତି,
ବୁଦ୍ଧି ଖଟାଇ ରାତିକରାତି,
ଚୁଗୁଲିଆଙ୍କୁ ଧରି,
ଗୁପଥ ପଥ        ପାରିଲା ଜାଣି
ଉପାୟ ବହୁ କରି ।

ରାତି ଅଧରେ ଗଡ଼ରେ ପଶି,
ସୁଯୋଗ ଦେଖି ରହିଲା ବସି,
କରି ଫିକର ଫନ୍ଦି,
ମେଳିର ମେଢ଼ି        ରାଜଗୁରୁଙ୍କୁ
କରିଲା ଶେଷେ ବନ୍ଦୀ ।

ସେଠାରୁ ନେଇ ବହୁତ ଦୂର,
ବାଲେଶ୍ୱରର ମେଦିନୀପୁର,
'ବାଘତୋଟା'ର ନାଳ-
କୂଳରେ ଥିବା        'ବର'ରେ ବାନ୍ଧି
କରିଲା ଦୁଇଫାଳ ।

କୁଆଡ଼େ ବହି ଯାଉଛି କାଳ,
ଗଲାଣି କଟି କେତେଶ' ସାଲ,
ରହିଛି ଏବେ କଥା-
"ଜଇଆ ପଛେ        ଜୀବନ ଦେଲା
ନୁଆଇଁ ନାହିଁ ମଥା ।"

- ଶ୍ରୀ ରମେଶ ଚନ୍ଦ୍ର ଭଞ୍ଜ

1 comment:

  1. Harrah's Resort Atlantic City - MapyRO
    Harrah's Resort Atlantic City. MapyRO's location map showing 부산광역 출장샵 casinos 군산 출장마사지 and other 논산 출장마사지 gaming facilities 영주 출장마사지 located near Harrah's 사천 출장샵 Resort Atlantic City.

    ReplyDelete