Follow Us @soratemplates

Saturday 7 March 2020

ସନ୍ଧ୍ୟା

ସନ୍ଧ୍ୟା

ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ
ଆସଇ ରଜନୀରାଣୀ ଧରି କଳାବେଶ,
ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ
ରାବଦେଇ ଯେଝା ବାସେ କରନ୍ତି ଗମନ ।।

ଧୂଳି ଉଡ଼ାଇଣ ଦାସ୍ତେ କରି ହମ୍ବା ରଡ଼ି
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି,
ହଳ କାମ ସାରି ଚଷା ମହାଆନନ୍ଦରେ
ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ ।

ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ
ଆବରଇ ଜଳ ସ୍ଥଳ ପର୍ବତ କାନନ ।
ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି
ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି ।

ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ,
ନାହିଁ ଆଉ ଏ ଭୁବନେ ଜୀବନ ଚହଳ ।।
ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ,
ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ ।।
ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ,
ତାହାର ପରଶେ ଏବେ ମୁଦିବେ ନୟନ ।

- ମଧୁସୂଦନ ରାଓ

1 comment:

  1. ମଧସୂଦନ ଙ୍କ କବିତା ଅତି ହୃଦୟ ସ୍ପର୍ଶି

    ReplyDelete