Follow Us @soratemplates

Friday 21 August 2020

ବଣ ଓ ବଣି (ପୁରୁଣା ବହିରୁ)


ଦେଖିଲା କୁନା ମହୁଲ ଡାଳେ
ବସିଛି ଏକ ବଣି,
ପଡ଼ୁଛି ଯେତେ ମହୁଲ ଫୁଲ
ହିସାବ କରେ ଗଣି ।

ଡାକିଲା କୁନା କିଆଁ ଲୋ ବଣି
ଘଷୁଛୁ ଥଣ୍ଟ ଡାଳେ?
ଆ' ମୋ' ପାଶେ ଖାଇବୁ ଯେବେ
ମିଠା ପିଜୁଳି ଫାଳେ ।

ସୁନାର ଏକ ପଞ୍ଜୁରି ଗଢ଼ି
ଆଣିବେ ବାପା ମୋର,
ମାଆଠୁ ମାଗି ଦେବିଲୋ ତୋତେ
କଦଳୀ, ଛେନା, ସର ।

ସୁନା ଗିନାରେ ଦେବି ମୁଁ ପାଣି
ରୂପା ଥାଳିରେ ଭାତ,
ବୁଲାଇ ନେବି ମେଳାକୁ ତୋତେ
ଦେଖିବୁ କେତେ ଯାତ ।

କ‌ହିଲା ବଣି କୁନା ଭାଇନା,
କ‌ହିଲ ସତ ଏକା,
ମନରେ ତୁମ ଶରଧା ଥାଉ
ନିଇତି ହେବ ଦେଖା ।

ଗଛରୁ ଗଛ ଉଡ଼ି ଉଡ଼ିକା
ପାଉଛି କେତେ ସୁଖ,
ଡାଳରେ ଥାଇ ଦେଖଇ ମୁହିଁ
ଜ‌ହ୍ନମାମୁଁର ମୁଖ ।

ବୁଲୁଛି ଖାଇ ବଣର ଫଳ
ଡିମିରି, ଆମ୍ବ, ଜାମୁ,
ଶୋଉଛି ସୁଖେ ବସାରେ ମୋର
ଲେଉଟି ନାନା କାମୁ ।

କୁନା ଭାଇନା ସୁନା ପଞ୍ଜୁରି
ସେ ସୁଖ ଦେବ କିବା?
ଯିଏ ଯାହାର ମନ ଖୁସିରେ
ଆପଣା ସୁଖେ ଥିବା ।

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି
ରୂପା ଥାଳିର ଭାତ,
ଏ ଗଛ ଡାଳ ସରଗ ମୋର
ବଣ ପରାଣ ମିତ ।

(ଏହି କବିତାଟି ୩ୟ ଶ୍ରେଣୀର ପୁରୁଣା ସାହିତ୍ୟ ବହିରେ ଥିଲା, ଯାହାର ରୂପରେଖ ଟିକେ ବଦଳିଯାଇଛି ।)

No comments:

Post a Comment