Follow Us @soratemplates

Saturday 5 February 2022

ସରସ୍ୱତୀ ବନ୍ଦନା

ବାୟା ଅଜାଙ୍କ ପେଡ଼ିରୁ February 05, 2022 0 Comments
Saraswati Vandana (ସରସ୍ୱତୀ ବନ୍ଦନା)

ଅଇଲେ ମା’ ସରସ୍ୱତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତାର ହାର
ଦିଅ ମା’ ସରସ୍ୱତୀ ବିଦ୍ୟାଭଣ୍ଡାର ।

- ମହାକବି କାଳିଦାସ

Friday 23 July 2021

ରେଳଯାତ୍ରା

ବାୟା ଅଜାଙ୍କ ପେଡ଼ିରୁ July 23, 2021 0 Comments
Relajatra (ରେଳଯାତ୍ରା) Odia story for children

ସଠିକ ମନେ ପଡ଼ୁନଥିଲେ ବି ପ୍ରାୟ ୨୦୧୨ ମସିହାର କଥା । ମୁଁ ସେତେବେଳେ ତିନି ଚାରି ବର୍ଷର ହେଇଥିଲି । ରେଳରେ ପ୍ରଥମ କରି ଯାତ୍ରା କରୁଥିଲି ପୁରୀରୁ ଦିଲ୍ଲୀ ଆମ ମାଉସୀଙ୍କ ଘରକୁ । ମୁଁ, ବାବା, ମମି, ଏବଂ ମୋର ବଡ଼ ଭଉଣୀ । ମୁଁ କିଛି ଜାଣି ପାରୁନଥାଏ । ପ୍ରାୟ ତିନି ଦିନ ଲାଗିଥିଲା ଦିଲ୍ଲୀରେ ପହଞ୍ଚିବାକୁ । ସେହିଠାରେ ଏକ ଘଟଣା ମୋର ଏକ ସ୍ମୃତି ରହି ଯାଇଥିଲା ।  

ଦିଲ୍ଲୀ ଗଲା ବାଟରେ ଗନ୍ଧିଆ ଷ୍ଟେସନଠାରେ ରେଳ ଅଟକିଲା । ମୁଁ ଏବଂ ବାବା ରେଳରୁ ବାହାରି ଆସିଲୁ ଟିକେ ବୁଲିବା ପାଇଁ । ରେଳ ୧୦ ମିନିଟ୍ ପାଇଁ ରହିଥିଲା ଏବଂ ଆମେ ଆସିଲୁ ଆମ ପାଣି ବୋତଲରେ ପାଣି ଭର୍ତ୍ତିକଲୁ । ବାବା ମୋତେ ସବୁ ଜାଗା ଦେଖାଉଥାନ୍ତି ଷ୍ଟେସନରେ । ବାବା ମୋତେ ହଠାତ୍ ପଚାରିଲେ, "ଝିଅ କ'ଣ ଖାଇବୁ?" ମୁଁ ଆଗ୍ରହରେ ହଁ ମାରି ଦେଲି । ବାବା ତାଙ୍କ ପକେଟରୁ ୧୦ ଟଙ୍କିଆ ନୋଟଟିଏ କାଢ଼ିଲେ, ଦୋକାନୀ ହାତକୁ ଦେଲେ । ଠିକ୍ ସେତିକି ବେଳେ ରେଳ ଛାଡ଼ି ଦେଲା । ମୋ' ମମି ରାତି ଅନିଦ୍ରା ହୋଇ ଶୋଇ ଯାଇଥାଏ, ମୋ ବଡ଼ ଭଉଣୀ କ'ଣ କରିବ କିଛି ଜାଣି ପାରିଲାନାହିଁ । ହଠାତ୍ ଡାକିଲା, "ବାବା ଟ୍ରେନ ଛାଡ଼ି ଦେଲା ।" ସେତେବେଳକୁ ରେଳ ବହୁତ୍ ବାଟ ଗଡ଼ି ସାରିଲାଣି ।

ବାବା ଦୋକାନୀ ଠାରୁ ନୋଟ୍‌ଟି ଆଣି ତାକୁ ଓଠରେ ଚିପି ଧରି ମତେ ଗୋଟେ ହାତରେ ଧରି ଦଉଡ଼ି ଯାଇ ରେଳ ଉପରକୁ ଚଢ଼ିଲାବେଳେ ଗୋଡ଼ ଖସିଗଲା । ପୁଣି ବାବା ମତେ ଗୋଟେ ହାତରେ ଧରି ଚଢ଼ିବାକୁ ଲାଗିଲେ ଏବଂ ଭଗବାନଙ୍କ ଦୟାରୁ ଆମେ ରେଳରେ ଚଢ଼ିଗଲୁ । ସେତେବେଳକୁ ମମିର ନିଦ ଭାଙ୍ଗି ଯାଇଥିଲା । ସେ ମତେ ଆଉ ବାବାଙ୍କୁ କହିଲା, "ଯଦି ତମେ ଟ୍ରେନରେ ଚଢ଼ି ପାରିନଥାନ୍ତ ତା'ହେଲେ କ'ଣ ଯେ ହେଇଥାଆନ୍ତା !?" ଏତିକି କହି ସେ ହାତ ଯୋଡ଼ି କହି ପକେଇଲା ଜଗନ୍ନାଥ... ଜଗନ୍ନାଥ...

ବାବାଙ୍କ ପକେଟରେ ସେଦିନ ମାତ୍ର ୧୦୦ ଟଙ୍କିଆ ନୋଟଟିଏ ଥିଲା । ସେତିକି ନେଇ ଆମେ ଦିଲ୍ଲୀ ଯାଇ ପାରି ନଥାନ୍ତୁ କି ପୁରୀ ବି ଆସି ପାରି ନଥାନ୍ତୁ । ମୁଁ ଏବେ ବି ଭାବୁଛି, ଯଦି ଭଗବାନଙ୍କ କୃପା ହେଇ ନଥାନ୍ତା ଆଉ ଆମେ ଟ୍ରେନରେ ଚଢ଼ିପାରି ନଥାନ୍ତୁ, ତା'ହେଲେ ଆମ ଅବସ୍ଥା କ'ଣ ଯେ ହେଇଥାନ୍ତା !!!

- ଶୁଭସ୍ମିତା ସାହୁ

Wednesday 14 April 2021

ସଫଳତା

ବାୟା ଅଜାଙ୍କ ପେଡ଼ିରୁ April 14, 2021 0 Comments
Odia Poem Safalata (ସଫଳତା) for children

ଆଖିକୁ ଦିଶେ କେବଳ
ସଫଳତାର ରଙ୍ଗ ରୋଷଣୀ ସଜ,
ଦିଶେନା କେବେ ବିଜୟପଥେ
ଲହୁ ଲୁହ ଆଉ ସ୍ୱେଦ ।

ସଫଳତା କେବେ ସୁଲଭ୍ୟ ନୁହଁ
ଇଚ୍ଛିଦେଲେ ମିଳିଯିବ,
ପଥ ଏ ଯେ ଭାରି କଠିନ ବନ୍ଧୁର
ହାସିଲ ହିଁ କରିହେବ ।

ସଫଳତାଠୁ ବି ସୁନ୍ଦର ଲାଗେ
ରାସ୍ତା ସେ ସଫଳତାର,
ଖୁସି ସେ ସଦା ରହୁ ବା ନରହୁ
ସ୍ମୃତି ରହେ ସେ ଯାତ୍ରାର ।

ଶୀର୍ଷକୁ ଯିବା ବଡ଼କଥା ନୁହେଁ
ବଡ଼କଥା ଶୀର୍ଷରେ ରହିବା,
ଏଇ କଥାଟିକୁ ମନେ ରଖିଲେ
ସଫଳତା ନିଶ୍ଚେ ପାଇବା ।

- ଟିକା ଗୋବିନ୍ଦ

Sunday 28 March 2021

ମୁଁ ଜମା ବଡ଼ ହେବିନି

ବାୟା ଅଜାଙ୍କ ପେଡ଼ିରୁ March 28, 2021 1 Comments

ମୁଁ ଜମା ବଡ଼ ହେବିନି
କହୁଛି ଆଜି ଚୁନି
ମନରେ ତା'ର ଅନେକ ପ୍ରଶ୍ନ
ଉଙ୍କି ମାରୁଛି ବୁଣି ।

କହୁଛି ସିଏ ବଡ଼ ହେଲେ ମୁଁ
କରିବ କିଏ ଗେଲ?
ସାନ ଅଛି ମୁଁ କେଡ଼େ ସୁନ୍ଦର
ସଭିଁଙ୍କ ଗେହ୍ଲା ମୁଁ ଭଲ ।

ମାଆ ଦିଅନ୍ତି ହାତେ ଖୁଆଇ
ବଡ଼ ହେଲେ କି ଆଉ ଦେବେ
କହିବେ ଖାଲି ହାତରେ ଖାଆ
କୋଳେ ବସେଇ ନ ଖୁଆଇବେ ।

ବାପା କୁହନ୍ତି କେତେ ଯେ ଗପ
ବଡ଼ ହେଲେ କି କହିବେ?
ଗପ ବହିଟେ ଧରେଇ ଦେଇ
ନିଜେ ପଢ଼ ବୋଲି କହିବେ ।

ଜେଜେ ନିଅନ୍ତି ସାଙ୍ଗେ ବୁଲେଇ 
କରେ ମୁଁ କେତେ ମଜା  
ବଡ଼ ହେଲେ କି ଆଉ ନେବେ ବୁଲେଇ
ହେବ କି ଆଉ ମଜା?

ଭଳିକି ଭଳି କେତେ ଯେ ପ୍ରଶ୍ନ
କରୁଛି ଆଜି ଚୁନି
ଖାଲି କହୁଛି ଜମା ବି ନୁହେଁ
ମୁଁ ଜମା ବଡ଼ ହେବିନି ।

- ସୁଶ୍ରୀ ସଙ୍ଗୀତା ସେଠୀ

Friday 4 December 2020

ସାଧବ‌ଘରବୋହୂ କଥା

ବାୟା ଅଜାଙ୍କ ପେଡ଼ିରୁ December 04, 2020 0 Comments


ଗୋଟିଏ ସାଧବଟିଏ ଯେ ତା'ର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକି କେହି ଦେଖିପାରନ୍ତି ନାହିଁ । ଏକା ସ୍ୱାମୀଟି ଭାରୀ ଦେଖିପାରେ । ସମସ୍ତେ ସକାଳୁ ଗାଧୋଇ ପାଧୋଇ ଆସନ୍ତି, ସାନ ବୋହୂଟି ଅଢ଼େଇ ପ‌ହରେ ଗାଧୋଇ ଯାଏ । ଗାଧୋଇ ଆସେ, ସେଠାରେ ଠାକୁର ଥାଆନ୍ତି ନଈପାଖେ, ସାନବୋହୂ ଦିଅଙ୍କଠାରେ ଦଣ୍ତବତ କରେ, କ‌ହେ "ଶ‌ଶୂର ହୋଇବେ ଗାଁ ରାଜନ ଲୋ ଶାଶୁ ହୋଇଥିବେ ରାଣୀ, ଛ ଦେଢ଼ସୁର ଛ ସାଆନ୍ତ ଲୋ ଛଅ ଯାଆ ସାଆନ୍ତାଣୀ, ମୋ ଗିରସ୍ତ ହେବ କନ‌କରାଜନ ମୁଁ ହେବି ପାଟରାଣୀ । ପୁଅ ବେଇଥିବି ରାଜକୁମର ଲୋ, ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନାଟଭା ଗଛ ନ‌ଗୀ ଧରି ଫୁଲ ତୋଳିବ । ଦିଅଁ ହୋଇବ? ଦିଅଁ କ‌ହନ୍ତି ହଁ ହୋଇବ । ଏପରି ସବୁଦିନେ କ‌ହେ, ଦିଅଁ କ‌ହନ୍ତି ହଁ ହୋଇବ । ଦିନ‌କର ଛ ଯା ଯାକ ଶୁଣିଲେ, ଯାଇକରି ମିଛରେ ଶାଶୁ ଆଗରେ କ‌ହିଲେ, ସାନ୍ତାଣି ଶୁଣିଲଣି ତମ ସାନ‌ବୋହୂ କଣ କ‌ହୁଚି । ଶାଶୁ କ‌ହିଲା କଣ କ‌ହୁଚି? କ‌ହୁଚି, ଛ ଦେଢ଼ସୁର ଛ ମୂଲିୟା ଲୋ ଛ ଯାଆ ମୂଲିଆଣି ଶାଶୁର ହୋଇବେ ଗାଁର ମଳିକ, ଶାଶୁ ହେବେ ମଳିକାଣୀ, ମୋ ଗିରସ୍ତ ହେବ କ‌ନ‌କରାଜନ ମୁଁ ହେବି ପାଟରାଣୀ, ପୁଅ ବେଇଥିବି ରାଜକୁମାର ଲୋ ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନା ଟଭାଗଛ ନଗୀ ଧରି ଫୁଲ ତୋଳିବ । ସେ ପଚାରେ ଦିଅଁ ହୋଇବ? ସେ ଦିଅଁଟା କହେ ହଁ ହୋଇବ । ଶାଶୁ ଶଶୁର ସମସ୍ତେ କହିଲେ ସାନ ବୋହୁକୁ ଘରୁ ତଡ଼ିଦିଅ । ତା ସ୍ୱାମୀ ଆଗରେ କହିଲେ । ସ୍ୱାମୀ କହିଲା ହଁ ତଡ଼ିଦେବ ସେ, ରହିଥାଅ ବୁଝିବା, ଶୁଣିବା ଲୁଚିକରି ସେ କଣ କହିବ, ତେବେ ଯାଇ ତଡ଼ିଦେବ, ବୃଥାରେ କାହିଁକି ସେମନ୍ତି ହେଉଚ? ସମସ୍ତେ ତୁନିତାନି ହୋଇ ରହିଲେ । ତହିଁ ଆରଦିନ ସାନବୋହୂ ଗାଧୋଇ ଗଲାବେଳେ ଶାଶୁ, ଛ ଯା, ୟା ବର ଲୁଚିକରି ରହିଲେ । ଏ ଗାଧୋଇ ଆସି ଠାକୁରଙ୍କଠାରେ ଦଣ୍ଡବତ କଲା ବେଳେ କହିଲା, ଶଶୁର ହୋଇବେ ଗାଁ ରାଜନ ଲୋ, ଏହିପରି ସବୁଦିନେ ଯେମନ୍ତି କହେ ସେମନ୍ତି କହିଲା । ଦିଅଁ କହିଲେ ହଁ ହୋଇବ । ସାନବୋହୂ ଘରକୁ ଆସିଲା, ଏ ସବୁ ଘରକୁ ଆସିଲେ ଏହାର ବର କହିଲା, ସେତ ଏହା କହିଲା, ତେମେ ସବୁ କେମନ୍ତି ଅନ୍ୟ ପ୍ରକାର କହିଲ? ଆଜି ଏହା କହିଲ, ଆଉ କେଉଦିନ ଆଉ କଣ କହିବ । ଦିଅ ତାକୁ ବାହାର କରିଦିଅ, ମତେ ବାହାର କରିଦିଅ, ଆମେ ଯାଉଛୁଁ । ଏହା କହି ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଗଲେ ଘରୁ ବାହାରି । ଯାଇଁ ଆଉ ଗୋଟିଏ ରାଇଜରେ ଗୋଟାଏ ବରଗଛ ମୂଳରେ ବସିଚନ୍ତି, ସେ ରାଇଜର ରଜା ମରି ଯାଇଥାଏ ଯେ ହାତୀ ମୁଣ୍ଡରେ କଳଶ ଦିଆ ହୋଇଥାଏ, ଯାହା ଉପରେ ହାତୀ କଳଶ ଢାଳିବ ସେ ରାଜା ହେବ । ହାତୀ କଳଶ ଘେନି ବୁଲୁଥାଏ, ଦେଖିଲା ଏ ଦୁହେଁ ବରଗଛମୂଳେ ବସିଚନ୍ତି, ୟାଙ୍କ ଉପରେ କଳଶ ଢାଳିଦେଲା, ୟାଙ୍କୁ ଉପରେ ଟେକି ବସାଇଲା, ନେଇ ସେ ରାଇଜରେ ରଜା କରାଇଲା । ଏ ରଜା ହେଲା, ଭାରିଯା ପାଟରାଣୀ ହେଲା, ରହିଲେ । ପୁଅ ଜନ୍ମ ହେଲା, ପୁଅର ନା ଦେଲେ, ଖଡ଼ିଛୁଆଁ, କାନବିନ୍ଧା ହେଲା । ପୁଅ ବଢ଼ିଲା, ଦୁଆରେ ଗୋଟାଏ ଟଭାଗଛ ଲଗାଇ ଥାଏ, ପୁଅ ହାତରେ ଖଣ୍ଡିଏ ଆଙ୍କୁଡ଼ୀ ଦେଇଥାଏ, ପୁଅ ଫୁଲ ତୋଳୁଥାଏ, ଗୀତ ବୋଲୁଥାଏ ପୋଖରୀ ଖୋଳା ଲାଗିଥାଏ, ଏହିପରି ଭାରୀ କାରଖାନା ଲାଗିଚି ତାର । ଏ ସାଧବ ଘର ବରାବରି ମାଗି ଖାଇଗଲାପରି ଗଲେ ପେଟକୁ ଦାନା ଅଣ୍ଟିଲା ନାହିଁ, ଗାଣ୍ଡିକି କନା ମିଳିଲା ନାହିଁ । ଶୁଣି ପାଇଲେ କୋଉ ଦେଶରୁ ଜଣେ ନୂଆ ରଜା ଆସିଚି ଯେ ପୋଖରୀ ଖୋଳାଉଚି, କୂଅ ଖୋଳାଉଛି, ସବୁ ଦାନ ଧର୍ମ କରୁଚି । ଏମାନେ କହିଲେ ଆମର ଚାଲ ମାଟି ବୋହିବା ଯେ ମୂଲ ଆଣି ପେଟ ପୋଷିବା । ଛଅ ବୋହୂଯାକ, ଶାଶୁ ଶ୍ୱଶୁର, ଛ ପୁଏ, ସମସ୍ତେ ଗଲେ, ଯାଇ ପୋଖରୀ ଉପରେ ବସିଲେ । ଯେ କଡ଼ାକିଆ [୧] ପକାଉଥିଲା, ତାକୁ କହିଲେ ଯା ତମ ସାଆନ୍ତାଣୀଙ୍କି କହିବ ସାତଜଣ ମରଦ ସାତଜଣ ମାଈପେ ଆସିଛନ୍ତି ତାଙ୍କୁ ମାଟି ବୁହାଇବେ? ଜଣେ ଚାକିରିଆ ଯାଇ ରଜାଙ୍କୁ କହିଲା, ରଜା କହିଲେ ଯା ରାଣୀକି ପଚାରିବୁ । ରାଣୀକି ଆସି ସେଇୟା କହିଲା, ରାଣୀ କହିଲେ ହଉ ସେ ମାଟି ବୋହନ୍ତୁ । ଏ ଜାଣିପାରିଲା, ଉପର ମହଲାକୁ ଚଢ଼ିଗଲା, ଦେଖିକରି ଆସିଲା; କହି ପଠାଇଲା ଯୋଉ ବୁଢ଼ା ବୁଢ଼ୀ ଦୋଟି, ତାଙ୍କୁ ଅଳପ ମାଟି ଦେବ, ଯୋଉ ଛଅଟା ମରଦ, ଛଅଟା ମାଈପେ, ତାଙ୍କ ମୁଣ୍ଡରେ ଖୁବ ମଜଭୂତ୍ ବୋଝେ ଲେଖାଁ ଲଦିଦେବ । ଏମାନେ ମାଟି ବୋହିଲେ; ଖୁବ ବୋଝେ ଲେଖାଁ ମାଟି ନିଅନ୍ତି, କଉଡ଼ି କଡ଼ାଏ ପାନ୍ତି । ଏ କଣକଲା, ଏଣେ ପୁଝାରି ପାଖକୁ କହି ପଠାଇଲା, ଆଜି ବେଶୀକରି ରୋଷାଇ ବାସ କରିବ, ଭଲ ୨ କରି ତରକାରି କରିବ, ସବୁ ଆଣିବ ଇଆଡ଼େ ଦେଇଯିବ । ପୂଝାରି ରୋଷାଇବାସ କରି ରାଣୀଙ୍କ ଉଆସ ସରେ ଦେଇ ଆସିଲା । ଏ ଚାକରକୁ କ‌ହିଲା ସେ ଯୋଉ ସାତ ଜଣ ମରଦ ସାତଜଣ ମାଇପେ ଆସିଛନ୍ତି, ତାଙ୍କୁ ଡାକି ଆଣ; ଚାକର ଡାକି ଆଣିଲା । ଏ କଣ କଲା, ସାତଜଣ ଭଣ୍ଡାରି, ସାତ ଗିନା ତେଲ, ସାତ ଯୋଡ଼ା ପାଟ‌ଯୋଡ଼ ୟାକୁ ସବୁ ସାତ ମରଦଙ୍କପାଇଁ ପଠାଇଲା; ସାତ ମାଇପିଙ୍କ ପାଇଁ ସାତ କାଠୁଆ ହଳଦି, ସାତ ଗିନା ତେଲ ସାତୁଟା ପୋଇଲୀ, ସାତଖଣ୍ଡ ପାଟଶାଢ଼ୀ ପଠାଇଦେଲା । ସେ ସବୁ ଲଗେଇ ପଗେଇ ହୋଇ ଗାଧୋଇ ପାଧୋଇ ଆସିଲେ, ଆଉ ଏ ସାନବୋହୂ ସାନ ପୁଅ ବୋଲି ଜାଣନ୍ତି ନାହିଁ, ମନେ ମନେ ହେଉଥାନ୍ତି ସମସ୍ତେ ଏ ଆମକୁ ଏପରି ସବୁ କାହିଁକି କରୁଚି, ଏ କଣ ଆମକୁ ଆଉ ମାରି ପାଇବ କି? ଏପରି ମନରେ ପାଞ୍ଚି ହେଉଥାଆନ୍ତି । ଯୋଉଠୁଁ ଏମାନେ ଗାଧୋଇ ଆସିଲେ ଦେଖିଲା, ଦିଇଟା ଘରେ ଠା ପିଢ଼ା କଲା, ଶଶୁର ଆଉ ଛ ଦେଢ଼ଶୁରଙ୍କୁ ଗୋଟାଏ ଘରେ ଦେଲା, ଶାଶୁ ଆଉ ଛ ଯାଙ୍କୁ ଆଉ ଗୋଟାଏ ଘରେ ଦେଲା । ସମସ୍ତଙ୍କୁ ଲୁଣ ଦେଇଥାଏ, ଆଉ ଶାଶୁ ଶଶୁରଙ୍କୁ ଲୁଣ ଦେଇ ନଥାଏ । ଯେତେଥର ଆସୁଥାଏ ପରଷିବାକୁ, ତେତେଥର ଭିନ୍ନ ଭଳିରେ ଖଣ୍ଡେ ଲେଖାଁ ପାଟ ପିନ୍ଧି ଆସୁଥାଏ । ଏମାନେ ମନେ କରୁଥାନ୍ତି ଏହା ଘରେ ଏମନ୍ତି କେତେ ବୋହୁ ଅଛନ୍ତି କି? ଏ ସମସ୍ତଙ୍କୁ ଆଗରେ ପଛରେ ଦେଇ ସାରିଲା, ଫେର କହିଲା ଆଉ କଣ ଦେବି? ଶାଶୁ ଶଶୁର ଆଉ ଏତେକଥା ଜାଣିଛନ୍ତି? କ‌ହିଲେ ଲୁଣ ଦୋଟି ଦେଲ । ଏ ସେତିକିବେଳେ କ‌ହିଲା, କେତେ ଦେବି ଲୁଣ, କି କ‌ହିବି ଏହି ଶାଶୁ ଶଶୁରଙ୍କ ଗୁଣ । ଏହା ଯୋଉଠୁ କ‌ହିଲା, ସମସ୍ତେ ଜାଣିପାରିଲେ, କାନ୍ଦି ଉଠିଲେ; କ‌ହିଲେ ଯାହା କ‌ହିଥିଲା ସେଇଆ ହେଲା । ଆମେ ଯାହା କ‌ହିଥିଲୁ ଆମକୁବି ସେଇଆ ଫଳିଲା । ଏହିପରି କୁହା କୁହି ହେଲେ, ସେଠାରେ ମାସେ ଦିମାସେ ରହିଲେ । ତେଣେ ଅଲଗା ଉଆସ ତୋଳା ହେଲା, ସେମାନେ ସେଥିରେ ରହିଲେ, ଘରଦୁଆର କଲେ, ମୁଁ ଗଲାରୁ କଥା କହିଲେ ନାହିଁ । [୨] ମୋ କଥାଟି ସରିଲା, ଫୁଲଗଛଟି ମରିଲା ।

ହଇରେ ଫୁଲଗଛ, କାହିଁକି ମରିଲୁ? ମତେ ଗାଈ ଖାଇଗଲା ।
ହଇରେ ଗାଈ କାହିଁକି ଖାଇଲୁ? ମତେ ଗଉଡ଼ ଜଗିଲା ନାହିଁ ।
ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ? ମତେ ବଡ଼ବୋହୂ ଭାତ ଦେଲାନାହିଁ ।
ହଇଲୋ ବଡ଼ବୋହୂ କାହିଁକି ଭାତ ଦେଲୁ ନାହିଁ? ମତେ ପୁଅ ଛାଡ଼ିଲା ନାହିଁ ।
ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ? ମତେ ଧୂଳିଆ ଯନ୍ଦା କାମୁଡ଼ିଲା ।
ହଇରେ ଧୂଳିଆଯନ୍ଦା କାହିଁକି କାମୁଡ଼ିଲୁ? ମୁଁ ଭୁଇଁ ତଳେ ତଳେ ଥାଏ କଅଁଳ ମାଉଁସ ଟିକିଏ ପାଇଲେ ରୁଟ୍‌କରି ଖାଏଁ ।

୧. ଦୂରତା ଅନୁସାରେ ବୋଝେ ମାଟି ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇଲେ କଡ଼ାଏ ବା ଦୁଇକଡ଼ା ବା ଅଧିକା ଦେବା ଲୋକ‌କୁ କଡ଼ାକିଆ କ‌ହନ୍ତି।

୨. ପ୍ରତ୍ୟେକ କାହାଣୀର ଉପସଂହାରରେ କଥୟନ୍ତୀମାନେ ଏହି କଥାଗୁଡ଼ିକ କ‌ହିଥାନ୍ତି । କେହି କେହି କେବଳ ନିମ୍ନଲିଖିତ କେତୋଟି ଶବ୍ଦ ଉଚ୍ଚାରଣ କରି କଳ୍ପିତ ଉପସଂହାର କରନ୍ତି "ମୋ କଥାଟି ଏତିକି, ଫୁଲ ଫୁଟିଗଲା କିଆ କେତକୀ ।"

* * * 

ମଧୁସୂଦନ ରାଓଙ୍କ "କଥାଲହରୀ"ରୁ ସଂଗୃହୀତ । ଭାୟା: ଓଡ଼ିଆ ଉଇକିପାଠାଗାର

କଥାର ଲଥା

ବାୟା ଅଜାଙ୍କ ପେଡ଼ିରୁ December 04, 2020 1 Comments

କଥାଟିଏ କ‌ହୁଁ କଥାଟିଏ କ‌ହୁ ।
କିସ୍ କ‌ଥା? ବେଙ୍ଗୂଲି କଥା ।
କିସ୍ ବେଙ୍ଗୁଲି? କାଠ ବେଙ୍ଗୁଲି ।
କିସ୍ କାଠ? ତେଲି ମାଠ ।
କିସ୍ ତେଲି? ଘଣା ପେଲି ।
କିସ୍ ଘଣା? ଆଖୁ ଘଣା ।
କିସ୍ ଆଖୁ? କନ୍ତାରି ଆଖୁ ।
କିସ୍ କନ୍ତାରି? ବୁଢ଼ୀ ମନ୍ଥରୀ ।
କିସ୍ ବୁଢ଼ୀ? ଶୁକଳ ବୁଢ଼ୀ ।
କିସ୍ ଶୁକଳ? ହାତୀ ଶୁକଳ ।
କିସ୍ ହାତୀ? ରାଜାଙ୍କ ହାତୀ ।
କିସ୍ ରଜା? ଖଣ୍ତ ଖଜା ।
କିସ୍ ଖଣ୍ତ? ମିରିଗ୍ ଲଣ୍ତ ।
କିସ୍ ମିରିଗ୍? ଝାଡ଼ ମିରିଗ୍ ।
କିସ୍ ଝାଡ଼? କଣ୍ଟା ଝାଡ଼ ।
କିସ୍ କଣ୍ଟା? କାନ‌କୋଳି କଣ୍ଟା ।
ଯ‌ହିଁ ଲାଗିଥାଏ ଝଟାପଟା ।

* * * 
ମଧୁସୂଦନ ରାଓଙ୍କ "କଥାଲହରୀ"ରୁ ସଂଗୃହୀତ । ଭାୟା: ଓଡ଼ିଆ ଉଇକିପାଠାଗାର

Friday 21 August 2020

ବଣ ଓ ବଣି (ପୁରୁଣା ବହିରୁ)

ବାୟା ଅଜାଙ୍କ ପେଡ଼ିରୁ August 21, 2020 0 Comments


ଦେଖିଲା କୁନା ମହୁଲ ଡାଳେ
ବସିଛି ଏକ ବଣି,
ପଡ଼ୁଛି ଯେତେ ମହୁଲ ଫୁଲ
ହିସାବ କରେ ଗଣି ।

ଡାକିଲା କୁନା କିଆଁ ଲୋ ବଣି
ଘଷୁଛୁ ଥଣ୍ଟ ଡାଳେ?
ଆ' ମୋ' ପାଶେ ଖାଇବୁ ଯେବେ
ମିଠା ପିଜୁଳି ଫାଳେ ।

ସୁନାର ଏକ ପଞ୍ଜୁରି ଗଢ଼ି
ଆଣିବେ ବାପା ମୋର,
ମାଆଠୁ ମାଗି ଦେବିଲୋ ତୋତେ
କଦଳୀ, ଛେନା, ସର ।

ସୁନା ଗିନାରେ ଦେବି ମୁଁ ପାଣି
ରୂପା ଥାଳିରେ ଭାତ,
ବୁଲାଇ ନେବି ମେଳାକୁ ତୋତେ
ଦେଖିବୁ କେତେ ଯାତ ।

କ‌ହିଲା ବଣି କୁନା ଭାଇନା,
କ‌ହିଲ ସତ ଏକା,
ମନରେ ତୁମ ଶରଧା ଥାଉ
ନିଇତି ହେବ ଦେଖା ।

ଗଛରୁ ଗଛ ଉଡ଼ି ଉଡ଼ିକା
ପାଉଛି କେତେ ସୁଖ,
ଡାଳରେ ଥାଇ ଦେଖଇ ମୁହିଁ
ଜ‌ହ୍ନମାମୁଁର ମୁଖ ।

ବୁଲୁଛି ଖାଇ ବଣର ଫଳ
ଡିମିରି, ଆମ୍ବ, ଜାମୁ,
ଶୋଉଛି ସୁଖେ ବସାରେ ମୋର
ଲେଉଟି ନାନା କାମୁ ।

କୁନା ଭାଇନା ସୁନା ପଞ୍ଜୁରି
ସେ ସୁଖ ଦେବ କିବା?
ଯିଏ ଯାହାର ମନ ଖୁସିରେ
ଆପଣା ସୁଖେ ଥିବା ।

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି
ରୂପା ଥାଳିର ଭାତ,
ଏ ଗଛ ଡାଳ ସରଗ ମୋର
ବଣ ପରାଣ ମିତ ।

(ଏହି କବିତାଟି ୩ୟ ଶ୍ରେଣୀର ପୁରୁଣା ସାହିତ୍ୟ ବହିରେ ଥିଲା, ଯାହାର ରୂପରେଖ ଟିକେ ବଦଳିଯାଇଛି ।)