Follow Us @soratemplates

Saturday 7 March 2020

ସନ୍ଧ୍ୟା

ବାୟା ଅଜାଙ୍କ ପେଡ଼ିରୁ March 07, 2020 1 Comments
ସନ୍ଧ୍ୟା

ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ
ଆସଇ ରଜନୀରାଣୀ ଧରି କଳାବେଶ,
ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ
ରାବଦେଇ ଯେଝା ବାସେ କରନ୍ତି ଗମନ ।।

ଧୂଳି ଉଡ଼ାଇଣ ଦାସ୍ତେ କରି ହମ୍ବା ରଡ଼ି
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି,
ହଳ କାମ ସାରି ଚଷା ମହାଆନନ୍ଦରେ
ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ ।

ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ
ଆବରଇ ଜଳ ସ୍ଥଳ ପର୍ବତ କାନନ ।
ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି
ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି ।

ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ,
ନାହିଁ ଆଉ ଏ ଭୁବନେ ଜୀବନ ଚହଳ ।।
ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ,
ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ ।।
ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ,
ତାହାର ପରଶେ ଏବେ ମୁଦିବେ ନୟନ ।

- ମଧୁସୂଦନ ରାଓ

Tuesday 18 February 2020

ମୋର ଏବେବି ମନେପଡ଼େ...

ବାୟା ଅଜାଙ୍କ ପେଡ଼ିରୁ February 18, 2020 1 Comments

ମୋର ଏବେବି ମନେପଡ଼େ...
ସେହି ସବୁଜମାଳିନୀ, ଶସ୍ୟଶାଳିନୀ,
ଇଲାକାର ଅସରନ୍ତି କାହାଣୀ... କଥା
ଭାବିଲେ ଆପେ ଆପେ ନଇଁଯାଏ ମଥା...

ମୋର ଏବେବି ମନେପଡ଼େ...
ବିଲିକଣାରୁ ସ୍କୁଲ ଯାଏ ଅଙ୍କା ବଙ୍କା ରାସ୍ତା..
ସାଥିଙ୍କ ସହ ଧାନ କେନ୍ଦା ସାଉଁଲେଇବା କଥା..
ଚାଲୁ ଚାଲୁ ବାଟ ସରିଯାଏ, ପ୍ରାର୍ଥନା ସଭା କଥା..

ସବୁଦିନ ପରିକା ପ୍ରଥମ ପିରିୟଡ଼ କଥା....
ଖେଳ ଛୁଟିରେ ସାଥିଙ୍କ ସହ ମିଳି ଭୋଜନ କଥା..
ପ୍ରତୀକ୍ଷା ଥାଏ ଶେଷ ପିରିୟଡ଼ ଶେଷ ଘଣ୍ଟି କଥା..
ତରବର ସହ ଗୃହ ପ୍ରତ୍ୟାବର୍ତନ କଥା...

ମୋର ଏବେବି ମନେପଡ଼େ...
ପ୍ରଭାକର ସାରଙ୍କ ଇଂରାଜୀ ଉଚ୍ଚାରଣ କଥା...
Good manners ବିଷୟ ଅଷ୍ଟମ ଶ୍ରେଣୀ କଥା..
ସୁନ୍ଦର, ସରଳ, ଶୈଳୀରେ inconvince, realised
Courtsey, narrow, ଇତ୍ୟାଦି... ମନୋରମ ଠାଣି କଥା..

ମୋର ଏବେବି ମନେପଡ଼େ....
ଆମ ପ୍ରିୟ ଧିରେନ ସାରଙ୍କ କଥା....
ବୀଜଗଣିତରେ ପାରଙ୍ଗମ ଛାତ୍ର ପ୍ରେମୀ କଥା..
ପଲକ ଝପକେ ସମୀକରଣ ସମାଧାନ କଥା...
ସାଧାରଣତ ଶବ୍ଦର ମଜାକିଆ ଢଙ୍ଗ କଥା...

ମୋର ଏବେବି ମନେପଡ଼େ...
ପଣ୍ଡିତେଙ୍କ ବେତ ମାଡ଼ କଥା..
ଶବ୍ଦ, ଧାତୁ, କଣ୍ଠସ୍ଥ ଅଭ୍ୟାସ କଥା..
ସଂସ୍କୃତ ଶ୍ଳୋକ ଉଦେତି ସବିତା ତାମ୍ରସ୍ଥାମ..
ପଞ୍ଚମ ପିରିୟଡ଼ ଭୋଜନ ଅବକାଶ ପର କଥା
ଅନୁପସ୍ଥିତ ସାଥିମାନଙ୍କୁ ପରଦିନ ଦଣ୍ଡିତ କଥା..

ମୋର ଏବେବି ମନେପଡ଼େ...
ବିଚିତ୍ର ସାରଙ୍କ ଭୂଗୋଳ ପଢ଼ାଇବା କଥା..
ବିନା ଦେଖି କଳାପଟାରେ ବୃତ୍ତ ତିଆରି କଥା
ବେତ ମୁନରେ ମାନଚିତ୍ରରୁ ଦେଶ ଚି଼ହ୍ନଟ କଥା...

ମୋର ଏବେବି ମନେପଡ଼େ....
ରଙ୍କ ସାରଙ୍କ ଅଙ୍କ ପଢ଼େଇବା କଥା..
ଆନମନା ସାଥିଙ୍କୁ ଚକ ଫୋପାଡ଼ିବା କଥା..
ଅତି ସରଳତା ସହ ସମୀକରଣ ବୁଝାଇବା କଥା..

ମୋର ଏବେବି ମନେପଡ଼େ...
କାର୍ତ୍ତିକ ସାରଙ୍କ ଇତିହାସ ପଢ଼େଇବା କଥା..
ଅନ୍ୟମନସ୍କ ଛାତ୍ର ମାନଙ୍କୁ ଦଣ୍ଡ ଦେବା କଥା..
ଅତି କ୍ରୋଧେ "ନାହିଁ ସାଠ, ନାହିଁ ପାଠ, ନାହିଁ କିଛି..."
ଆସୁ ଉଚ୍ଚାରଣ କରିବାର କଥା...

ମୋର ଏବେବି ମନେପଡ଼େ....
ଆମ ପ୍ରଧାନ ଶିକ୍ଷକ ହରେକୃଷ୍ଣ ସାରଙ୍କ କଥା...
ଟ୍ରିଗନମେଟ୍ରି କ୍ଲାସରେ ଆଣ୍ଠେଇବା କଥା...
ଅତି ସରଳ ଭବେ ସମୀକରଣ ବୁଝାଇବା କଥା..

ମୋର ଏବେବି ମନେପଡ଼େ....
ପ୍ରିୟ ଖେଳ ଶିକ୍ଷକ ଅର୍ଜୁନ ସାରଙ୍କ କଥା..
ଖେଳ ପ୍ରେମୀ ଛାତ୍ର ମାନଙ୍କ ପ୍ରିୟ ପାତ୍ର କଥା..
ସଭିଙ୍କୁ ଖେଳ ପାଇଁ ଉତ୍ସାହିତ କରିବା କଥା..

ମୋର ଏବେବି ମନେପଡ଼େ...
ଆମ ପ୍ରିୟ ନଟ ସାରଙ୍କ କଥା..
ସବୁ କାର୍ଯ୍ୟରେ ଅଗ୍ରସର କଥା..
ଭୋଜନ ପ୍ରିୟ, ଗଣିତ ପ୍ରିୟ, ମେଳାପି..
ଶକ୍ତ ଶାସନ, ଲୋକପ୍ରିୟତା କଥା..

ମୋର ଏବେବି ମନେପଡ଼େ....
ଇଂଲିଶ ସାର ବୀର ସାରଙ୍କ କଥା...
ସରଳ ସ୍ୱଭବ ସ୍ମିତ ହାସ୍ୟ, ମିଷ୍ଟଭାସି କଥା..
ଧୀରେ ଧୀରେ ଇଂରାଜୀ ଉଚ୍ଚାରଣ କଥା..

ମୋର ଏବେବି ମନେପଡ଼େ...
ପ୍ରିୟ ଗୁରୁଜୀ କୁଳମଣି ସାରଙ୍କ କଥା..
ଇତିହାସରୁ ପୁରାତନ ତତ୍ତ୍ୱ ପ୍ରସଙ୍ଗକୁ
ନୂତନ ଶୈଳୀରେ ବଖାଣିବା କଥା..

ମୋର ଏବେବି ମନେପଡ଼େ...
ହିନ୍ଦି ସାର ଶ୍ରୀନିବାସ ମହାରଣାଙ୍କ କଥା..
ସରଳ ସ୍ୱଭାବ ଗାନ୍ଧୀ ପରିଧାନ କଥା..
ହିନ୍ଦି ଶିକ୍ଷା ପ୍ରଚାର ଓ ପ୍ରସାର କଥା..

ମୋର ଏବେବି ମନେପଡ଼େ...
ବିଜ୍ଞାନ ଶିକ୍ଷକ ପାରେଶ୍ୱର ସାରଙ୍କ କଥା..
ମାନବ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କଥା..
ସରଳ ଭାଷାରେ ବୁଝାଇବା କଥା...

ମୋର ଏବେବି ମନେପଡ଼େ...
ଆମ ସ୍କୁଲ ବିଶିଆ ନା' କ୍ୟାଣ୍ଟିନ କଥା..
ଖେଳଛୁଟିରେ ଜଳଖିଆ ବଣ୍ଟନ କଥା..
ଗରମ ଗରମ ପିଆଜି, ପକୁଡ଼ି, ଗୁଲୁଗୁଲା କଥା..

ମୋର ଏବେବି ମନେପଡ଼େ...
ସ୍କୁଲ ପୋଖରୀରୁ ମାଛ ଧରା କଥା..
ସାଥିଙ୍କ ସାଥିରେ ବଣଭୋଜି କଥା...
ରାତିରେ ନାଚ ଗୀତ ମଜା ମସ୍ତି କଥା..

ମୋର ଏବେବି ମନେପଡ଼େ....
ଚିରନମସ୍ୟା ବିଦ୍ୟାଦାୟୀନି ବିଦ୍ୟାଳୟ କଥା..
ବିଗତ ସପ୍ତତ୍ରିଇଂସ ବସନ୍ତ ଅତିବାହିତ କଥା...
ପୁଣି ଥରେ ସାଥିଙ୍କ ସହ ମହା ମିଳନ କଥା...

ମୋର ଏବେବି ମନେପଡ଼େ....
ଆମର ଏ ମହା ବନ୍ଧୁ ମିଳନ କଥା...
ନୂଆ ଆବେଗ, ଉଦିପନା, ଉତ୍ସାହ କଥା..
ଅନେକ ଦିନ ପରେ ବନ୍ଧୁ ମିଳନ କଥା..

ମୋର ଏବେବି ମନେପଡ଼େ....
ଏତେ ଦିନର ଅନ୍ତରାଳରେ ସ୍କୁଲ ଦର୍ଶନ...
ପୁରାତନ ସାଥିଙ୍କ ସହ ଆନନ୍ଦ ମିଳନ...
ହସ, ଖୁସିରେ ବିତି ଯାଉ ଆମର ମିଳନ..

- ନିର୍ମଳ ନାୟକ

Sunday 16 February 2020

ଗଛ ଓ କାଠୁରିଆ

ବାୟା ଅଜାଙ୍କ ପେଡ଼ିରୁ February 16, 2020 0 Comments

ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ ।
ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ।
ବସି କୁହୁକୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡ଼ାଳେ ।
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳ ବାଟୋଇ ତ ବସେ ଏହା ତଳ ।


ଛାଡ଼ି ଯାଅ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଦେଇ ଥରେ ଏ ଗଛ କାହାଣୀ ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ତାହାକୁ ଲଗାଇ ଗଲେ ପିତୃପିତାମହ ।
କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,
କେତେ ଝିଅ ପୁଅ କେତେ ଯାତ ବିଭାଘର ।
ମନେ ପଡ଼େ ପିଲାଦିନ ଏହାରି ମୂଳରେ,
ଖେଳୁଥିଲି ମୁହିଁ ଖେଳ ସାଥୀ ଗହଳରେ ।


ଏବେ ବାଲ୍ୟକାଳେ ପୋଥି ଧରି ଛାଇ ତଳେ,
ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ଦେଖିଅଛି ଏ ଗଛ ମୋ ପିତୃପିତାମହ ।
ନ ହାଣ ଏ ଗଛ ଶୁଣ ମୋର ବାଣୀ,
ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣି ।
ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,
ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ ।
ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି,
ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ ।

ନନ୍ଦକିଶୋର ବଳ

ଜୟୀ ରାଜଗୁରୁ

ବାୟା ଅଜାଙ୍କ ପେଡ଼ିରୁ February 16, 2020 1 Comments

ସେଇ ଲୋକ ଯେ ମେଳିରେ ମେଢ଼ି,
ସବୁ ଆକଟ ଦେଉଛି ଏଡ଼ି,
କଥରେ ତା'ର ମାତି,
ପାଇକ ଜାତି        ଉଠୁଛି ତାତି
ଫୁଲ ଦେଇ ଛାତି ।

ଆଶାରେ ଭରି ଉଷୁମ ଲହୁ,
ଭାଷାରେ ଭରି ମୁକତି-ମହୁ,
ଜୀବନ-ଗୀତା ଗାଇ,
ଅନ୍ତର ତଳେ        ଅନଳ ଶିଖା
ଦେଉଛି ଅବା ତାଇ ।

ପାଗଳ ପ୍ରାୟ ପାଇକ ପୁଅ,
ଛୁଟାଇବାକୁ ରକତ ସୁଅ,
ସଜାଏ ହତିଆର,
ଜୀବନ ବାଜି        ରଖିଛି ଆଜି
ତୋଳିଛି ତଲୁଆର ।

ଆହୁରି ବୀରେ ବହୁତ ଦୂରୁ,
ଢେଙ୍କାନାଳ ଓ ସମ୍ବଲପୁରୁ,
ଦେଲେଣି ଭୀମ ରଡ଼ି,
ରକତମୁଖା        ହେଲେଣି ସବୁ
ସେନାବାହିନୀ ଗଢ଼ି ।

ଥରି ଉଠୁଛି ରସୁଲ୍‌କୁଣ୍ଡା,
ଗଞ୍ଜାମ ସହ ରଙ୍ଗେଇଲୁଣ୍ଡା,
ଗଣ୍ଡାକୁ ଗଣ୍ଡା ଭେଣ୍ଡା,
କୁଜଙ୍ଗଠାରୁ        କନିକା ଯାଏଁ
ଖୋଲି ଦେଲେଣି ଖଣ୍ଡା ।

ମୁକୁନ୍ଦଦେବ ଠାକୁର ରାଜା,
ଖୁରଧା ଗଡ଼େ ପାଳେ ପରଜା,
ତାହାର ସିଏ ମନ୍ତ୍ରୀ,
ବଚନ ତା'ର        ଖୁରରୁ ଧାର
ଥରାଇ ଦିଏ ତନ୍ତ୍ରୀ ।

ପାହାଡ଼ ତଳେ ଗଢ଼ିଛି ଗଡ଼,
ଗଡ଼ୁଁ ଗରଜି ଉଠିବ ଝଡ଼,
ଝଡ଼ର ତାଳେ ତାଳେ,
ତୁଟିବ ସବୁ        ବିଦେଶୀ ବଳ
ଶାଣିତ ତରବାଳେ ।

ରାଜାର ସିଏ ସେନାନାୟକ,
ବଇରିକୁଳ ବ୍ୟଥାଦାୟକ,
ବକ୍‌ସି ଜଗବନ୍ଧୁ,
କରିଛି ପଣ        କରିବ ରଣମ
ଛେଦିବ ଶିର କନ୍ଧୁ ।

ଭାବିଲେ ଗୋରା ସିପାହୀ ଦଳ,
ତେବେରେ ଏଠି ସରିଲା ବଳ,
ଧରିବା ନିଜ ପଥ,
ଖୁରୁଧା ଗଡ଼        ସହଜେ ଆଉ
ହେବନି କରଗତ ।

ମହାଚତୁର ବଣିକ ଜାତି,
ବୁଦ୍ଧି ଖଟାଇ ରାତିକରାତି,
ଚୁଗୁଲିଆଙ୍କୁ ଧରି,
ଗୁପଥ ପଥ        ପାରିଲା ଜାଣି
ଉପାୟ ବହୁ କରି ।

ରାତି ଅଧରେ ଗଡ଼ରେ ପଶି,
ସୁଯୋଗ ଦେଖି ରହିଲା ବସି,
କରି ଫିକର ଫନ୍ଦି,
ମେଳିର ମେଢ଼ି        ରାଜଗୁରୁଙ୍କୁ
କରିଲା ଶେଷେ ବନ୍ଦୀ ।

ସେଠାରୁ ନେଇ ବହୁତ ଦୂର,
ବାଲେଶ୍ୱରର ମେଦିନୀପୁର,
'ବାଘତୋଟା'ର ନାଳ-
କୂଳରେ ଥିବା        'ବର'ରେ ବାନ୍ଧି
କରିଲା ଦୁଇଫାଳ ।

କୁଆଡ଼େ ବହି ଯାଉଛି କାଳ,
ଗଲାଣି କଟି କେତେଶ' ସାଲ,
ରହିଛି ଏବେ କଥା-
"ଜଇଆ ପଛେ        ଜୀବନ ଦେଲା
ନୁଆଇଁ ନାହିଁ ମଥା ।"

- ଶ୍ରୀ ରମେଶ ଚନ୍ଦ୍ର ଭଞ୍ଜ

Wednesday 5 February 2020

ବଣ ଓ ବଣି

ବାୟା ଅଜାଙ୍କ ପେଡ଼ିରୁ February 05, 2020 1 Comments

ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି,
ଝଡ଼ୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି ।

ଡାକିଲା କୁନା କିଆଁଲୋ ବଣି ଘଷୁଛୁ ଥଣ୍ଟ ଡାଳେ?
ଆ' ମୋ' ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ ।

ସୁନାର ଏକ ପଞ୍ଜୁରି ଗଢ଼ି ଆଣିବେ ବାପା ମୋର,
ମାଆଠୁ ମାଗି ଦେବିଲୋ ତୋତେ କଦଳୀ, ଛେନା, ସର ।

ସୁନା ଗିନାରେ ଦେବି ମୁଁ ପାଣି ରୂପା ଥାଳିରେ ଭାତ,
ବୁଲାଇ ନେବି ମେଳାକୁ ତୋତେ ଦେଖିବୁ କେତେ ଯାତ ।

କ‌ହିଲା ବଣି କୁନା ଭାଇନା, କ‌ହିଲ ସତ ଏକା,
ମନରେ ତୁମ ଶରଧା ଥାଉ ନିଇତି ହେବ ଦେଖା ।

ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ,
ଆକାଶେ ଥାଇ ଦେଖି ମୁହିଁ ଜ‌ହ୍ନମାମୁଁର ମୁଖ ।

ବୁଲୁଛି ଖାଇ ବଣର ଫଳ କେତେ ଯେ ମିଠା କୋଳି
ଗଛର ଡାଳେ ପବନ ତାଳେ ଖେଳଇ ମୁହିଁ ଦୋଳି ।

ମନ ଆନନ୍ଦେ ଉଡ଼ି ବୁଲଇ ଖୁସିରେ ଗାଏ ଗୀତ,
ନ ମାନେ ଝଡ଼ି, ବରଷା ଖର ନ ମାନେ ପୁଣି ଶୀତ ।

କୁନା ଭାଇନା ସୁନା ପଞ୍ଜୁରି ଦେବକି ସେଇ ସୁଖ,
ପର ଅଧୀନ ବନ୍ଦୀ ଜୀବନ ଅଟଇ ବଡ଼ ଦୁଃଖ ।

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି ରୂପା ଥାଳିର ଭାତ,
ଗଛର ଡାଳ ସରଗ ମୋର ବଣ ପରା ମୋ' ମିତ ।
(ତୃତୀୟ ଶ୍ରେଣୀ ସାହିତ୍ୟ ବ‌ହି ।)

ଜାତୀୟ କବି ବୀରକିଶୋର

ବାୟା ଅଜାଙ୍କ ପେଡ଼ିରୁ February 05, 2020 0 Comments

ଆମ ଏ ଦେଶର ଯଶ ବିଭବ
ଦେଖି ବିଦେଶୀଙ୍କ ବଢ଼ିଲା ଲୋଭ ।

ଦଖଲ କଲେ ସେ ସାରା ମୁଲକ
ଦେଖାଇ ଆମକୁ ଗୁଳି ବନ୍ଧୁକ ।

ବୋହିନେଲେ ଆମ ଦେଶରୁ ଧନ
ଚାବୁକ ପାହାରେ କଲେ ଶାସନ ।

ପାଟିକଲେ ହେଲା ବେତ ପାହାର
ଗୁଳିରେ ଫାଟିଲା ମଥା କାହାର ।

ଶହଶହ ସ୍ୱାଧୀନତା ସଇନ
ହସି ହସି କଲେ କାରାବରଣ ।

ଗୋରା ବେପାରୀଏ ହେଲେ ପାଗଳା
ଚଳାଇଲେ ଦେଶେ ଦମନ ଲୀଳା

ବୀରକିଶୋର ଏ ଦେଶର କବି
ଆଖିରେ ଦେଖିଲେ କଷଣ ଛବି ।

ଗୋରା ଶାସକଙ୍କ ଦମନ ଲୀଳା
ମନ‌କୁ ତାଙ୍କର ଅଥିର କଲା ।

ଲେଖିଗଲେ ଗୀତ ମାଳକୁ ମାଳ
ରହିଥିବ ତାହା କାଳକୁ କାଳ ।

ସେ ଗୀତେ ସଭିଏଁ ଉଠିଲେ ମାତି
ଗୁଳି ଆଗେ ଦେଲେ ପତାଇ ଛାତି !

ସାଜିଲେ ପିଲାଏ ବାନରସେନା
ବାହାରିଲେ ଧରି ତ୍ରିରଙ୍ଗା ବାନା ।

ଖାଇଲା ଗୋଇଠା ବେତ ପାହାର
ଦେଖିଲେ ସ‌ହିବ ଛାତି କାହାର !

ଗୋରା ସରକାର ବନ୍ଧୁକ ଗୁଳି
କବିତା ଶକତି ତା'ଠାରୁ ବଳି ।

ଥରିଲା ଶେଷରେ ବିଦେଶୀ ଛାତି
ଆଉ ନ ରହିଲେ ଗୋଟିଏ ରାତି ।

ଛାଡ଼ି ପଳେଇଲେ ଭାଇରତ ଭୂଇଁ
ତେର ନଈ ସାତ ଦରିଆ ଡେଇଁ ।

ଅହଂକାର

ବାୟା ଅଜାଙ୍କ ପେଡ଼ିରୁ February 05, 2020 1 Comments

ଥରେ ଗୋଟିଏ କାଉ ଏବଂ ହଂସ ମଧ୍ୟରେ ଝଗଡ଼ା ହେଇଗଲା । କାଉ କହିଲା ମୁଁ ହଂସଠାରୁ ସବୁକିଛି ଭଲରେ କରିପାରିବି । ତେଣୁ ଗୋଟିଏ ପ୍ରତିଯୋଗିତା ହେଲା । ପ୍ରତିଯୋଗିତା ଅନୁସାରେ କାଉ ଯାହା କରିବ, ତାକୁ ହଂସ ପୁଣିଥରେ କରିକି ଦେଖେଇବ ଆଉ ପରେ ହଂସ ଯାହା କରିବା, କାଉ ତାକୁ କରିବ ।

କାଉ ପ୍ରଥମେ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ଦେଖାଇଲା, ହେଲେ ହଂସ ସେସବୁ କରିପାରିଲା ନାହିଁ । ତେଣୁ କାଉ ଗର୍ବରେ ଫୁଲିବାକୁ ଲାଗିଲା ଆଉ ଧୀରେ ଧୀରେ ତା'ର ଅହଂକାର ଆହୁରି ବଢ଼ିବାକୁ ଲାଗିଲା ।

ପ୍ରଥମ ପର୍ଯ୍ୟାୟରେ କାଉ ଜିତିବା ପରେ ଏବେ ହଂସର ପାଳିଥିଲା । ହଂସ ଉଡ଼ିବା ଆରମ୍ଭ କଲା ଆଉ କାଉ ମଧ୍ୟ ତାକୁ ଅନୁସରଣ କରି ଦେଖାଇଲା । ହଂସ ଏକ ବିଶାଳକାୟ ସମୁଦ୍ର ଦେଇ ଉଡ଼ିବାକୁ ଲଗିଲା । କାଉ ମଧ୍ୟ ତା' ପଛେ ପଛେ ଚାଲିଥାଏ । ହଂସର ଏ ଭଳି ଖାଲି ଉଡ଼ିବାର ରହସ୍ୟ କାଉକୁ ବୁଝାପଡ଼ୁନଥାଏ, ତେଣୁ ସେ ହଂସକୁ ଏହାର କାରଣ ପଚାରିଲା । ମାତ୍ର ହଂସର କାଉର କଥାରେ କୌଣସି ଉତ୍ତର ନଦେଇ ସେମିତି ଉଡ଼ିବାକୁ ଲାଗିଥାଏ ।

ଏହା ଭିତରେ ହଂସ ଉଡ଼ିଉଡ଼ି ବିଶାଳ ସମୁଦ୍ରର ବହୁତ ଦୂରକୁ ଚାଲିଯାଇଥାଏ ଯେଉଁଠି ଚାରିଆଡ଼େ ଖାଲି ପାଣି ହିଁ ଦେଖାଯାଉଥିଲା ଆଉ କାଉ ମଧ୍ୟ ତା' ପଛେ ପଛେ ଯାଇଥାଏ । ହଂସ ଉଡ଼ି ଚାଲିଥାଏ; କାଉ ପାଖରେ କିନ୍ତୁ ଆଉ ଉଡ଼ିବାର ଶକ୍ତି ନଥିଲା । ତାକୁ ତା'ର ଅହଂକାର ବିଷୟରେ ଜଣାପଡ଼ିଲା ଏବଂ ସେ ହଂସ ପାଖରେ ନିଜର ଭୁଲ ସ୍ୱୀକାର କରି ତାକୁ କୂଳକୁ ଫେରାଇ ନେବାକୁ ଅନୁରୋଧ କଲା ।

ଏକ ଛୋଟ କାହାଣୀ; କିନ୍ତୁ ଅନେକ କିଛି ଶିଖାଇଥାଏ ଆଉ ଅହଂକାର ଫଳରେ କ'ଣ ଅସୁବିଧା ହୁଏ ତାହା ତ ଆପଣମାନେ ଦେଖିଲେ । ଜୀବନରେ ଯାହା ବି କାମ କରନ୍ତୁ ନା କାହିଁକି ଅହଂକାରଠାରୁ ଦୂରେଇ ରୁହନ୍ତି; ଦେଖିବେ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିବେ ।

(ଲୋକକଥାରୁ ଉଦ୍ଧୃତ)